Odia News Portal

ପୋଲାର୍ଡଙ୍କ ଗୋଟିଏ ଓଭରରେ ୬ ଛକା

ବିଶ୍ୱର ତୃତୀୟ ବ୍ୟାଟ୍ସମ୍ୟାନ୍ ଭାବେ ଅନ୍ତର୍ଜାତୀୟ କ୍ରିକେଟରେ କୀର୍ତ୍ତିମାନ ହାସଲ

ନୂଆଦିଲ୍ଲୀ : ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି୨୦ରେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ କାଇରନ୍ ପୋଲାର୍ଡ ଗୋଟିଏ ଓଭରରେ ୬ଟି ଛକା ମାରିଛନ୍ତି । ବିଶ୍ୱର ତୃତୀୟ ବ୍ୟାଟ୍ସମ୍ୟାନ୍ ଭାବେ ଅନ୍ତର୍ଜାତୀୟ କ୍ରିକେଟରେ ପୋଲାର୍ଡ ଏଭଳି କୀର୍ତ୍ତିମାନ ହାସଲ କରିଛନ୍ତି । ଶ୍ରୀଲଙ୍କା ସ୍ପିନର ଆକିଲା ଧନଞ୍ଜୟଙ୍କ ଓଭରରେ ସେ ୬ଟି ଛକା ମାରି ରେକର୍ଡ ବୁକ୍‌ରେ ସାମିଲ ହୋଇଛନ୍ତି । ପୋଲାର୍ଡଙ୍କ ଏହି ଧମାକାଦାର ବ୍ୟାଟିଂ ବଳରେ ୱେଷ୍ଟଇଣ୍ଡିଜ୍ ପ୍ରଥମ ଟି୨୦କୁ ୪ ୱିକେଟରେ ଜିତିଛି । କୌତୁହଳର ବିଷୟ ଯେ, ଧନଞ୍ଜୟ ତାଙ୍କ ପୂର୍ବ ଓଭରରେ ହ୍ୟାଟ୍ରିକ୍ ୱିକେଟ୍ ନେଇଥିଲେ । ହେଲେ ନିଜ ପରବର୍ତ୍ତୀ ଓଭରରେ ୬ ଛକା ଦେବାର ଲଜ୍ଜା ମୁଣ୍ଡାଇଥିଲେ ।

ଅନ୍ତର୍ଜାତୀୟ କ୍ରିକେଟରେ ଗୋଟିଏ ଓଭରରେ ୬ଟି ଛକା ମାରିବାରେ ପୋଲାର୍ଡ ହେଉଛନ୍ତି ତୃତୀୟ ବ୍ୟାଟ୍ସମ୍ୟାନ୍ । ତାଙ୍କ ପୂର୍ବରୁ ଯୁବରାଜ ସିଂ ଓ ହର୍ଶଲ ଗିବ୍ସ ମଧ୍ୟ ଏଭଳି ବିରଳ ଉପଲବ୍ଧି ହାସଲ କରିଛନ୍ତି । ଯୁବରାଜ ୨୦୦୭ ଟି୨୦ ବିଶ୍ୱକପ୍‌ରେ ଇଂଲଣ୍ଡର ଷ୍ଟୁଆର୍ଟ ବ୍ରଡଙ୍କ ଓଭରରେ ୬ଟି ଛକା ମାରିଥିଲେ । ସେହିପରି ଗିବ୍ସ ୨୦୦୭ ଦିନିକିଆ ବିଶ୍ୱକପରେ ନେଦରଲାଣ୍ଡ୍‌ସ ବିପକ୍ଷରେ ଗିବ୍ସ ଏପରି ଚମତ୍କାର କରିଥିଲେ ।

ଧନଞ୍ଜୟଙ୍କ ଓଭରରେ ୬ଟି ଛକା ମାରିବା ପରେ ପୋଲାର୍ଡ ଯଦିଓ ବେଶି ସମୟ କ୍ରିଜରେ ତିଷ୍ଠି ନଥିଲେ, ତାଙ୍କର ଏହି ସ୍ପେଶାଲ୍ ପାଳି କିନ୍ତୁ ୱେଷ୍ଟଇଣ୍ଡିଜର ବିଜୟ ନିଶ୍ଚିତ କରିଥିଲା । ପୋଲାର୍ଡ ୧୧ ବଲରେ ୩୮ ରନ୍ କରି ଆଉଟ୍ ହୋଇଯାଇଥିଲେ । ଶ୍ରୀଲଙ୍କା ପ୍ରଦତ୍ତ ୧୩୨ ରନର ବିଜୟଲକ୍ଷ୍ୟକୁ ୱେଷ୍ଟଇଣ୍ଡିଜ୍ ୧୪ତମ ଓଭରରେ ହାସଲ କରିନେଇଥିଲା । ଜାନସ ହୋଲ୍ଡର ଏକ ଛକା ମାରି ଔପଚାରିକତା ପୂରଣ କରିଥିଲେ ।