Odia News Portal

ଲଘୁଚାପ ପ୍ରଭାବରେ ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ପୁଣି ଫେରିଛି ମୌସୁମୀ । ରାଜ୍ୟର କିଛି ସ୍ଥାନରେ ପୁଣି ଆରମ୍ଭ ହୋଇଛି ବର୍ଷା । ଅଧିକାଂଶ ସ୍ଥାନରେ କୋହଲା ପାଗ ମଧ୍ୟ ଦେଖିବାକୁ ମିଳିଛି । ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି । ଓଡ଼ିଶା ଉପରେ ଏହାର ସିଧା ପ୍ରଭାନ ନଥିଲେ ବି ଆଂଶିକ ପ୍ରଭାବ ପଡ଼ିବ । ୫ଦିନ ପର୍ୟ୍ୟନ୍ତ ବିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମର ଧରଣର ବର୍ଷା ସମ୍ଭାବନା । କାଲି ସକାଳ ୮ଟା ୩୦ ସୁଦ୍ଧା ଉପକୂଳ ଓଡିଶା ରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଏହି ଲଘୁଚାପର କେନ୍ଦ୍ରରୁ ଏକ ନିମ୍ନଚାପରେଖା ବଙ୍ଗୋପସାଗର କୂଳରେ ବାୟୁମଣ୍ଡଳର ୧.୫ କିମି ଯାଏଁ ବ୍ୟାପିଛି । ଫଳରେ ଚଳିତ ସପ୍ତାହରେ କେରଳ, କର୍ଣ୍ଣାଟକ, ତାମଲନାଡୁ , ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଭାରତର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାବେଳେ ଓଡିଶା ଉପକୂଳ ତଥା ତତ୍ ସଂଲଗ୍ନ ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକରେ ବର୍ଷା ସମ୍ଭାବନା ରହିଛି ।

ରାଜ୍ୟର ୧୪ ଉପକୂଳ ତଥା ତତ୍ ସଂଲଗ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ୨୪ଘଣ୍ଟାରେ ରାଜ୍ୟର ଏକାଧିକ ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ରେକର୍ଡ ହୋଇଛି । ମୁଖ୍ୟତଃ କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, ଜଗତସିଂହପୁର ଜିଲ୍ଲାରେ ବର୍ଷା ରେକର୍ଡ କରାଯାଇଛି । ପାରାଦ୍ୱୀପରେ ସର୍ବାଧିକ ୫୫ମିମି ବର୍ଷା ହୋଇଥିବାବେଳେ କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକରେ ଦ୍ୱିତୀୟ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । ଆଜି ମାଲକାନଗିରି, କୋରାପୁଟ ଓ ରାୟଗଡାର ଅଧିକାଂଶ ସ୍ଥାନ ଏବଂ ସମଗ୍ର ଉପକୂଳରେ ବର୍ଷା ହେବା ସମ୍ଭାବନା ରହିଛି । ଲଘୁଚାପ କ୍ଷେତ୍ରରୁ ଲମ୍ବିଥିବା ନିମ୍ନଚାପ ରେଖା ସକାଶେ ଗଜପତି, ଗଞ୍ଜାମ, ନୟାଗଡ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି ।