Odia News Portal

ଆଫଗାନିସ୍ତାନରେ ବନ୍ଦ ହେବ ମିଡିଆ ହାଉସ୍

କାବୁଲ: ଆଫଗାନିସ୍ତାନରେ ଚାଲିଛି ତାଲିବାନ ଶାସନ । ତାଲିବାନମାନେ ଦିନକୁ ଦିନ ହିଂସ୍ର ହେବାରେ ଲାଗିଛନ୍ତି । ତେବେ ଲୋକଙ୍କ ପାଖରେ ଖବର ପହଞ୍ଚାଉଥିବା ମିଡିଆ ହାଉସ ଖୁବଶୀଘ୍ର ବନ୍ଦ ହେବ । ଦେଶକୁ ତାଲିବାନ କବଜା କରିବା ପରେ ଏହି ଆଶଙ୍କା ଘନୀଭୂତ ହୋଇଛି । ମହିଳା ଉପସ୍ଥାପିକାଙ୍କ ଉପରେ ପ୍ରଥମ ପର୍ୟ୍ୟାୟରେ ନିଷେଧାଦେଶ ଜାରି କରାଯାଇଛି । କିଛି ଦିନ ମଧ୍ୟରେ ଗଣମାଧ୍ୟମ ଉପରେ ଅଙ୍କୁଶ ଜାରି କରାଯାଇପାରେ ବୋଲି ସୂଚନା ମିଳିଛି । ୨୦୧୨ରେ ପୁଲିଜର ପୁରସ୍କାର ଲାଭ କରିଥବା ଖ୍ୟାତନାମା ସାମ୍ବାଦିକ ମାସୁଦ ହୋସିନି କହିଛନ୍ତି ଗଣମାଧ୍ୟମ ଉପରେ କଟକଣା ଜାରି କରାଯିବ ନାହିଁ ବୋଲି ପୂର୍ବରୁ ତାଲିବାନ କହିଥିଲେ ମଧ୍ୟ ଲୋକଙ୍କୁ ଭୁଆଁ ବୁଲାଯାଉଛି ।ସମସ୍ତ ପ୍ରକାର ଗଣମାଧ୍ୟମ ଉପରେ କଟକଣା ଜାରି ଲାଗି ତାଲିବାନ ଯୋଜନା କରିଛି । ତାଲିବାନ କବଳରୁ ଦିନକ ପୂର୍ବରୁ କାବୁଲ ଛାଡିବାକୁ ସକ୍ଷମ ହୋଇଥିବା ହୋସିନି କହିଛନ୍ତି, ଦେଶରେ ଗଣମାଧ୍ୟମର ସ୍ବର ସମ୍ପୂର୍ଣ୍ଣ ବନ୍ଦ କରିବା ଲାଗି ତାଲିବାନ ଧୀରେ ଧୀରେ ପଦକ୍ଷେପ ନେଉଛି ଏବଂ ଆସନ୍ତା ଦିନରେ ଏହା ଉପରେ ନିଷେଧାଦେଶ ଜାରି କରାଯିବା ସମ୍ଭାବନା ରହିଛି । କାବୁଲକୁ ନିଜ ଅଧୀନକୁ ନେବା ପରେ ତାଲିବାନ କହିଥିଲା ଯେ, ଗଣମାଧ୍ୟମ ଉପରେ ଅଙ୍କୁଶ ଜାରି କରାଯିବ ନାହିଁ ଏବଂ ମହିଳାଙ୍କୁ ନିର୍ୟାତନା ଦିଆଯିବ ନାହିଁ । ସେହିପରି ତାଲିବାନ ଇଣ୍ଟରନେଟକୁ ମଧ୍ୟ ସମ୍ପୂର୍ଣ୍ଣ ନିଷିଦ୍ଧ କରିବାର ଆଶଙ୍କା ରହିଛି ବୋଲି ସେ କହିଛନ୍ତି । ଚଳିତ ଅଗଷ୍ଟରେ ଦେଶର ୫୧ଟି ମିଡିଆ ହାଉସ ବନ୍ଦ ହୋଇଛି ।