Odia News Portal

କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ବାସବରାଜ ସୋମାପା ବୋମାଇ

କର୍ଣ୍ଣାଟକ ରାଜନୀତିର ଏବେ ଅନ୍ୟତମ କର୍ଣ୍ଣଧାର ବାସବରାଜ ସୋମାପା ବୋମାଇ । ଗୃହ ଓ ପାର୍ଲାମେଂଟ ଆଫାୟାର ଭଳି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀପଦରେ ଥିବା ବାସବରାଜ ଏବେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ । ଭାରତୀୟ ଜନତା ପାର୍ଟି ତାଙ୍କ ନାଁରେ ମୋହର ମାରିବା ପରେ ଏବେ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରାଯାଇଛି । ତେବେ ଅନେକ ବରିଷ୍ଠ ନେତାଙ୍କୁ ପଛରେ ପକାଇ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ବାସବରାଜଙ୍କ ବିଷୟରେ ଚାଲନ୍ତୁ ଜାଣିବା କିଛି ଜଣାଅଜଣା କଥା..

କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ବାସବରାଜ ସୋମାପା ବୋମାଇ । ୧୯୬୦ ଜାନୁଆରୀ ୨୮ରେ କର୍ଣ୍ଣାଟକରେ ଜନ୍ମିତ ବାସବରାଜ ହେଉଛନ୍ତି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ. ଆର. ବୋମାଇଙ୍କ ପୁଅ । ମେକାନିକାଲ ଇଂଜିନିୟରିଂରେ ସ୍ନାତକ ହାସଲ କରିଛନ୍ତି ସେ । ଜନତା ଦଳରୁ ଏକଦା ନିଜ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବା ବାସବରାଜ ଏବେ କର୍ଣ୍ଣାଟକ ବିଜେପିର ନୂଆ ଚେହେରା ।..

କର୍ଣ୍ଣାଟକ ଲେଜିସଲେଟିଭ କାଉନସିଲରେ ଦୁଇ ଦୁଇଥର ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି ବାସବରାଜ । ପ୍ରଥମ ଥର ୧୯୮୮ରେ, ଦ୍ୱିତୀୟ ଥର ୨୦୦୪ରେ ଧରୱାର୍ଡ ଲୋକାଲ୍ ଅଥରିଟିଜ୍ କନଷ୍ଟିଚ୍ୟୁନ୍ସିରୁ ନିର୍ବାଚିତ ହୋଇଛନ୍ତି ସେ । ଫେବୃଆରୀ ୨୦୦୮ରେ ସେ ଜନତା ଦଳ ୟୁନାଇଟେଡ ଛାଡି ଭାରତୀୟ ଜନତା ପାର୍ଟିରେ ଯୋଗଦିଅନ୍ତି । ଆଉ ସେହିବର୍ଷ ସାଧାରଣ ନିର୍ବାଚନରେ ହାଭେରୀ ଜିଲ୍ଲାର ସିଗାଓଁ ନିର୍ବାଚନ ମଣ୍ଡଳୀରୁ ସେ ବିଜେପି ଟିକେଟରେ ଜିତିକି ବିଧାନସଭା ଆସନ୍ତି । ତା ପରଠାରୁ ଅପରାଜେୟ ଭାବେ ରାଜନୀତି ମଇଦାଦରେ ସେ ଆଗକୁ ବଢ଼ିଛନ୍ତି ।..

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଭାରତର ପ୍ରଥମ ଶତ ପ୍ରତିଶତ ପାଇପ୍ ଜଳସେଚନ ପ୍ରକଳ୍ପ ଭାବେ ତାଙ୍କ ନିର୍ବାଚନମଣ୍ଡଳୀ ଯେଉଁ ସଫଳତା ହାସଲ କରିଛି ତା ପଛରେ ରହିଛି ବାସବରାଜ ସୋମାପା ବୋମାଇଙ୍କ ପ୍ରଚେଷ୍ଟା । ତାଙ୍କରି ଉଦ୍ୟମରେ ହାଭେରୀ ଜିଲ୍ଲାରେ ୨୫ହଜାର ଏକର ଟାଙ୍ଗରା ଭୁଇଁ ଜଳସେଚିତ ହୋଇ ପାରିଥିଲା । ଏମିତିକି ସେ ଜଳସମ୍ପଦ ମନ୍ତ୍ରୀ ଥିବା ବେଳେ ହାଭେରୀରେ ମାଇକ୍ରୋ ଇରିଗେସନ କରାଇ ସେ ସାରା ଦେଶର ଦୃଷ୍ଟି ଆକର୍ଷଣ କରି ପାରିଥିଲେ । କୃଷି ଓ କୃଷକର ଉନ୍ନତିକୁ ସେ ଯଥେଷ୍ଟ ଗୁରୁତ୍ୱ ଦେଉଥିବା ବେଳେ ଜଳସମ୍ପଦ ମନ୍ତ୍ରୀ ଥିବା ବେଳେ ତାଙ୍କର ଏନେଇ ଅନେକ ସଫଳ କାହାଣୀ ରହିଛି ।..

କର୍ଣ୍ଣାଟକ ସରକାରରେ ବାସବରାଜ ଗୃହ, ଆଇନ, ପାର୍ଲାମେଂଟ ଆଫାୟାର, ଜଳସମ୍ପଦ, ସମବାୟ ଭଳି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ ପଦରେ ସଫଳତାର ସହ କାର୍ଯ୍ୟ କରିଛନ୍ତି । ବାପାଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ଗରୀବ କଲ୍ୟାଣ ଦିଗରେ ତାଙ୍କର ଉଦ୍ୟମ ସର୍ବଦା ପ୍ରଶଂସନୀୟ । କୁହାଯାଏ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପାଙ୍କ ଏକଦମ୍ ଖାସ ହେଉଛନ୍ତି ବୋମାଇ । ରାଜ୍ୟରେ ବିଜେପିର ଭିତିଭୂମି ସଜାଡିବାରେ ତାଙ୍କର ଉଦ୍ୟମକୁ ଶୀର୍ଷନେତାଏ ପ୍ରଶଂସା କରନ୍ତି । ସଦରା ଲିଙ୍ଗାୟତ ସମ୍ପ୍ରଦାୟରୁ ଆସିଥିବା ବାସବରାଜଙ୍କୁ ନେଇ କର୍ଣ୍ଣାଟକ ପଲିଟିକ୍ସ ବି ସବୁବେଳେ ରୋଚକ ରହିଛି । କାରଣ କର୍ଣ୍ଣାଟକ ପଲିଟିକ୍ସରେ ଲିଙ୍ଗାୟତ ଭୋଟବ୍ୟାଙ୍କ ବିଜେପିକୁ ସଫଳତା ଦେଇ ଆସିଛି । ରାଜନୈତିକ ଇତିହାସ କହୁଛି, ୧୯୫୬ରୁ ଆଜି ଭିତରେ ରାଜ୍ୟର ୨୦ ଜଣ ମୁଖ୍ୟମନ୍ତ୍ରୀଙ୍କ ଭିତରୁ ୮ଜଣ ହେଉଛନ୍ତି ଲିଙ୍ଗାୟତ ସମ୍ପ୍ରଦାୟର । ତେଣୁ ସେସବୁ ଦିଗରୁ ବାସବରାଜଙ୍କ ରାଜନୈତିକ ଦବଦବା ବେଶ ଆଗରେ । ଯାହା ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦଳକୁ ବାଛିବାକୁ ବାଧ୍ୟ କରିଛି ବୋଲି ଚର୍ଚ୍ଚା ହୁଏ । ସବୁ ପରେ ବି ରାଜ୍ୟ ରାଜନୀତିରେ ତାଙ୍କ ପତିଆରା ପାଇଁ ସାରା ଦେଶ ଆଗରେ ବାସବରାଜ ସୋମାପା ବୋମାଇ ଏବେ ନୂଆ ମୁଖ୍ୟମନ୍ତ୍ରୀ ।