Odia News Portal

ଏପ୍ରିଲରେ ଆରମ୍ଭ ହେବ ନୂତନ ଶିକ୍ଷାବର୍ଷ, ପାଠ୍ୟକ୍ରମରେ ହେବନାହିଁ କୌଣସି ପରିବର୍ତ୍ତନ

ହାଇସ୍କୁଲ ପାଠ୍ୟକ୍ରମରେ ଚଳିତ ମାସ ଏପ୍ରିଲ୍ ମାସରୁ ନୂତନ ଶିକ୍ଷାବର୍ଷ ଆରମ୍ଭ ହୋଇ ୨୦୨୪, ମାର୍ଚ ପର୍ଯ୍ୟନ୍ତ ଚାଲିବ। ୨୦୨୨-୨୩ ଶିକ୍ଷାବର୍ଷରେ ଯେଉଁ ପାଠ୍ୟକ୍ରମ ପ୍ରଚଳିତ ହୋଇଛି, ତାହା ନୂତନ ଶିକ୍ଷାବର୍ଷ(୨୦୨୩-୨୪)ରେ ମଧ୍ୟ ପ୍ରଚଳିତ ହେବ। ନୂତନ ଶିକ୍ଷାବ‌ର୍ଷ(୨୦୨୩-୨୪)ରେ ମୂଲ୍ୟାୟନ ଶୈଳୀ ଚଳିତ ବ‌ର୍ଷର ମୂଲ୍ୟାୟନ ଶୈଳୀ ସଦୃଶ ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ପୂର୍ବରୁ ଦଶମ ଶ୍ରେଣୀ ଭୌତିକ ବିଜ୍ଞାନ ବହିରେ ଷ୍ଟାର୍‌ ମାର୍କ ଚିହ୍ନିତ ବିଷୟ ପଢ଼ାଯାଉ ନଥିବା ତଥା ପରୀକ୍ଷାରେ ପଡ଼ୁ ନଥିବା ବେଳେ ନୂଆ ଶିକ୍ଷାବର୍ଷ(୨୦୨୩-୨୪)ରେ ସେହି ଷ୍ଟାର ଚିହ୍ନିତ ବିଷୟ ପଢ଼ାଯିବ ଓ ଏଥିରୁ ପରୀକ୍ଷାରେ ପ୍ରଶ୍ନ ଆସିବ ବୋଲି ବୋର୍ଡ ପକ୍ଷରୁ କୁହାଯାଉଛି। ନବମ ଶ୍ରେଣୀରେ ନୂଆ କରି ଆରମ୍ଭ ହୋଇଥିବା ଆସ୍ପିରେସ୍‌ନାଲ୍‌ କମ୍ପୋନେଟ୍‌ସ ନୂଆ ଶିକ୍ଷାବର୍ଷରେ ଉଭୟ ମାଟ୍ରିକ୍, ମଧ୍ୟମାରେ ପ୍ରଚଳିତ ହେବ। ଏ ସଂକ୍ରାନ୍ତରେ ବୋର୍ଡ ୱେବ୍‌ସାଇଟ୍‌ www.bseodisha.ac.in ରେ ସମସ୍ତ ସୂଚନା ଦିଆଯାଇଛି। ଚଳିତ ବର୍ଷ ଯେଉଁ ଭଳି ପ୍ରଶ୍ନପତ୍ର ଓ ପରୀକ୍ଷା ଶୈଳୀ ପ୍ରଚଳିତ ହେଉଛି, ନୂଆ ଶିକ୍ଷାବର୍ଷରେ ପ୍ରଚଳିତ ହେବ ବୋଲି ବୋର୍ଡ ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି ଏକ ପ୍ରେସ୍‌ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି।