Odia News Portal

ଭିଜିଲାନ୍ସ ଜାଲରେ ପୋଲିସ ବାବୁ

ଭିଜିଲାନ୍ସ ଜାଲରେ ପଡିଛନ୍ତି ପୋଲିସ ବାବୁ । ପୋଲିସ କମ୍ୟୁନିକେସନର ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କ ଘର ଓ ଅଫିସ ସମେତ ୧୧ଟି ସ୍ଥାନରେ ଚଢାଉ କରାଯାଉଛି । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ କରୁଛି ଭିଜିଲାନ୍ସ ଟିମ୍ । ଭୁବନେଶ୍ୱର ମନୋରମା ଇଷ୍ଟେଟ୍ରେ ଥିବା ଫ୍ଲାଟ, ନବରଙ୍ଗପୁର ଡାବୁଗାଁରେ ଥିବା ଘର, ଯାଜପୁର ବଡଚଣାରେ ଥିବା ଶ୍ୱଶୁର ଘର, ଯାଜପୁର ତେଲି ଗଡରେ ଥିବା ଶାନ୍ତିଲତା ଫାର୍ମ ହାଉସରେ ରେଡ୍ କରାଯାଉଛି । ଚଣ୍ଡିଖୋଲ ବଜାରରେ ଥିବା ଶାନ୍ତିଲତା ନର୍ସିଂ ହୋମ୍, ଶାନ୍ତିଲତା ଟ୍ରାସପୋର୍ଟ ନାଁରେ ଥିବା ଦୁଇଟି ଅଫିସ୍‌ରେ ବି ଚଢ଼ାଉ ହୋଇଛି । ତା’ସହ ତ୍ରିନାଥ ମିଶ୍ରଙ୍କ ଡ୍ରାଇଭରଙ୍କ ଜଗତସିଂହପୁର ବିରିଡ଼ିରେ ଥିବା ଘରେ ବି ଚାଲିଛି ଯାଞ୍ଚ ।
ଆଉ ଦୁଇ ମାସ ପରେ ଅବସର ନେଇଥାନ୍ତେ ତ୍ରିନାଥ ମିଶ୍ର । ହେଲେ ତା’ ପୂର୍ବରୁ ମାଡ଼ି ବସିଛି ଭିଜିଲାନ୍ସ ଟିମ୍ ।
କଟକ ମହାନଦୀ ବିହାରରେ ତ୍ରିନାଥ ମିଶ୍ରଙ୍କ ଦୁଇ ପୁଅ ତୁଷାର ମିଶ୍ର ଓ ତରୁଣ ମିଶ୍ରଙ୍କ ନାଁରେ ଏକ ଔଷଧ ଉତ୍ପାଦନ ୟୁନିଟ୍ ରହିଛି । ସେଠାରେ ମଧ୍ୟ ରେଡ୍ କରୁଛି ଭିଜିଲାନ୍ସ । ଏହା ସହ କଟକ ତୁଳସୀପୁରରେ ଥିବା ସିଗ୍ନାଲ ଏସ୍ପି ଅଫିସ୍ ଓ ମଧୁପାଟଣା ପୋଲିସ କ୍ୟାମ୍ପସରେ ଥିବା ସରକାରୀ ବାସଭବନରେ ଭିଜିଲାନ୍ସ ରେଡ୍ କରୁଛି । ଚଢାଉରେ ୩ ଜଣ ଆଡିସିନାଲ ଏସପି, ୧୦ ଜଣ ଡିଏସପି, ୧୩ ଜଣ ଇନ୍ସପେକ୍ଟର ଓ ଅନ୍ୟ ଅଧିକାରୀ ସାମିଲ ହୋଇଛନ୍ତି ।