Odia News Portal

ଜଗା ଦର୍ଶନ ପାଇଁ କାନ୍ଦିଲେ ଲକ୍ଷ୍ମୀ

ପୁରୀ: ଜଗନ୍ନାଥଙ୍କୁ ଟିକେ ଆଖିଭରି ଦେଖିବା ପାଇଁ କାନ୍ଦିଲେ ଲକ୍ଷ୍ମୀ| ଆଜି ଶ୍ରୀମନ୍ଦିର ସମ୍ମୁଖରେ କିଛି ଏପରି କହି କାନ୍ଦୁଥିଲେ ଲକ୍ଷ୍ମୀ | ଦୀର୍ଘ ୯ ମାସ ହେଲା ମୋ କାଳିଆ ଠାକୁରଙ୍କୁ ମୁଁ ଦେଖିପାରିନି। ମୋର ଧନ ରତ୍ନ କିଛି ଦରକାର ନାହିଁ। ଜୀବନର ଶେଷ ସମୟରେ ମୁଁ ଆସି ପହଞ୍ଚିଲିଣି ।କିଏ ମତେ ଟିକେ ମୋ ଜଗା ପାଖରେ ଛାଡିଦିଅ । ତାକୁ ଆଖିଭରି ଦେଖିଦେଲେ ମୋର ସବୁ ଆଶା ପୁରଣ ହୋଇଯିବ |ଛାତିରେ ଛାତିଏ ଦୁଃଖ,ଆଉ ଆଖିରେ ଆଖିଏ ଲୁହଭରି ଜଗା ଦର୍ଶନ ପାଇଁ ଭୋ ଭୋ ହୋଇ କାନ୍ଦି ଏଭଳି କହୁଥିଲେ ଲକ୍ଷ୍ମୀ । କାଳିଆକୁ ଦେଖିବାକୁ ମନ ବ୍ୟାକୁଳ ହେଉଥିବା ବେଳେ ବୟସ ଆଉ କରୋନା ଦର୍ଶନ ନିମନ୍ତେ ସାଜିଥିଲା ବାଧକ ।

ସୂଚନାନୁଯାୟୀ, ପୁରୀ ଗୌଡବାଡ ସାହିର ଜଣେ ୭୦ ବର୍ଷର ବୃଦ୍ଧା ଲକ୍ଷ୍ମୀ ଦେ। ଶନିବାର ବଡ ଏକାଦଶୀ ଅବସରରେ ଜଗା ଦର୍ଶନ ପାଇଁ ଶ୍ରୀମନ୍ଦିର ଆସିଥିଲେ |ତେବେ ଲକ୍ଷ୍ମୀଙ୍କ ପାଖରେ କରୋନା ରିପୋର୍ଟ ନଥିବା କାରଣରୁ ଲକ୍ଷ୍ମୀ ଜଗତର ନାଥ ଜଗନ୍ନାଥଙ୍କ ଦର୍ଶନ କରି ପାରିନଥିଲେ। ତେବେ ଲକ୍ଷ୍ମୀ କାଳିଆ ଠାକୁରଙ୍କୁ ଦର୍ଶନ କରିବା ନିମନ୍ତେ ସିଂହଦ୍ୱାର ସମ୍ମୁଖରେ ଥିବା ସୁରକ୍ଷାବଳୟକୁ ଭେଦ କରି ସିଧା ଅରୁଣସ୍ତମ୍ଭ ପାଖରେ ପହଞ୍ଚି ଯାଇଥିଲେ। କିନ୍ତୁ ସିଂହଦ୍ୱାର ସମ୍ମୁଖରେ ଥିବା ସୁରକ୍ଷା କର୍ମୀ ତାଙ୍କୁ ସେଠାରେ ଅଟକାଇ ଦେଇଥିଲେ | କାଳିଆ ଦର୍ଶନ କରିବା ପାଇଁ ପୋଲିସ ଗୋଡତଳେ ପଡି ନେହୁରା ମଧ୍ୟ ହୋଇଥିଲେ । ସିଂହଦ୍ୱାର ଦେଇ ଶ୍ରୀମନ୍ଦିର ଭିତରକୁ ଯିବା ପାଇଁ ଅନୁରୋଧ କରିଥିଲେ ମଧ୍ୟ ସେଠାରେ ତାଙ୍କୁ ଜେଟିପି ପୋଲିସ ଏବଂ ସିଂହଦ୍ୱାରା ଥାନା ଆଇଆଇସି ଯିବାକୁ ଅନୁମତି ଦେଇନଥିଲେ। ଯାହା ଫଳରେ କାଳିଆ ଦର୍ଶନରୁ ବଞ୍ଚିତ ହୋଇଥିଲେ ଲକ୍ଷ୍ମୀ |