Odia News Portal

‘ଡିଫେନ୍ସ କରିଡର’ର ପ୍ରଶଂସା କଲେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ

ଉତ୍ତର ପ୍ରଦେଶରେ ନିର୍ମିତ ତୋପ ଗର୍ଜିଲେ ଦୁନିଆରୁ ପାକିସ୍ତାନ ଆପଣାଛାଏଁ ନିଶ୍ଚିହ୍ନ ହୋଇଯିବ ବୋଲି ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟରେ ହେବାକୁ ଥିବା ‘ଡିଫେନ୍‌ସ୍‌ କରିଡର୍‌’ର ପ୍ରଶଂସା କରି କହିଛନ୍ତି।

ବୁନ୍ଦେଲ୍‌ଖଣ୍ଡ ଅଞ୍ଚଳର ବାନ୍ଦା ନଗରୀରେ ଆୟୋଜିତ ‘କାଲିଞ୍ଜର୍‌ ମହୋତ୍ସବ’ର ଉଦ୍‌ଘାଟନୀ ସମାରୋହରେ ଉଦ୍‌ବୋଧନ ଦେବା ବେଳେ ସେ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ବୁନ୍ଦେଲ୍‌ଖଣ୍ଡ ଅଞ୍ଚଳରେ ଥିବା ୭ଟି ଜିଲ୍ଲା ହେଉଛି: ଚିତ୍ରକୂଟ, ବାନ୍ଦା, ଝାନ୍‌ସୀ, ଜଲୌନ୍‌, ହାମିର୍‌ପୁର, ମହୋବା ଏବଂ ଲଳିତପୁର।

ସେ କହିଛନ୍ତି, ବିକାଶ ସିହତ ଏ ଅଞ୍ଚଳକୁ ସଂଯୋଗ କରିବା ଲାଗି ବୁନ୍ଦେଲ୍‌ଖଣ୍ଡ ଏକ୍ସପ୍ରେସ୍‌ ୱେ ନିର୍ମାଣ କରାଯାଇଛି। ଏବେ ଚିତ୍ରକୂଟରୁ ଦିଲ୍ଲକୁ ଯାତ୍ରା ସମୟ ସାଢ଼େ ୫ ଘଣ୍ଟା କମିଯିବ।

ଲକ୍ଷ୍ନୌରେ ଜାରି କରାଯାଇଥିବା ଏକ ବିବୃତିରେ ଆଦିତ୍ୟନାଥ କହିଛନ୍ତି, ଚିତ୍ରକୂଟରେ ଗୋଟାଏ ବିମାନ ବନ୍ଦର ନିର୍ମାଣ ଚାଲିଛି। ପ୍ରତିରକ୍ଷା କରିଡର୍‌ ତିଆରି ଚାଲିଛି। ସେଠାରେ ନିର୍ମିତ ତୋପ ଗର୍ଜିଲେ, ପାକିସ୍ତାନ ଆପଣାଛାଏଁ ନିଶ୍ଚିହ୍ନ ହୋଇଯିବ।

ସୂଚନାଯୋଗ୍ୟ, ଆକାଙ୍‌କ୍ଷୀ ପ୍ରକଳ୍ପ ‘ଉତ୍ତର ପ୍ରଦେଶ ଡିଫେନ୍‌ସ୍‌ ଇଣ୍ଡଷ୍ଟ୍ରିଆଲ୍‌ କରିଡର୍‌’ର ଉଦ୍ଦେଶ୍ୟ ହେଉଛି ‘ଇଣ୍ଡିଆନ୍‌ ଏରୋସ୍ପେସ୍‌ ଆଣ୍ଡ୍‌ ଡିଫେନ୍‌ସ୍‌ ସେକ୍ଟର୍‌’ର ବିଦେଶୀ ଅସ୍ତ୍ରଶସ୍ତ୍ର ଯୋଗାଣ ଉପରୁ ନିର୍ଭରଶୀଳତା ହ୍ରାସ କରିବା। ଏହି ପ୍ରକଳ୍ପ ନିମନ୍ତେ ୩,୭୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

ଏହି ଅବସରରେ ଆଦିତ୍ୟନାଥ ମଧ୍ୟ କହିଛନ୍ତି ଯେ, ଅତୀତରେ ଏ ଅଞ୍ଚଳର ମାଆ ଭଉଣୀମାନେ ପାଣି ଆଣିବାକୁ ୫ ମାଇଲ୍‌ ବାଟ ଚାଲୁଥିଲେ। କିନ୍ତୁ, ‘ହର୍‌ ଘର୍‌ ନଲ୍‌, ହର୍‌ ଘର୍‌ ଜଲ୍‌ ଯୋଜନା’ କାରଣରୁ ଏବେ ପ୍ରତ୍ୟେକ ଘରେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚୁଛି।