Odia News Portal

ଓଟିଭି ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ

କଟକ: କଟକ ନରାଜ ସ୍ଥିତ ମୁଣ୍ଡଳି ବ୍ୟାରେଜରେ ଫସିଥିବା ହାତୀକୁ ଉଦ୍ଧାର କରିବାକୁ ଯାଇଥିବା ଓଡ୍ରାଫ୍ ଟିମ୍ ଡଙ୍ଗା ଓଲଟିବା ଘଟଣାରେ ଓଟିଭି ଚିଫ୍ ରିପୋର୍ଟର ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ ଘଟିଛି। ଏନେଇ ଏସିସିବି ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି। ଏସସିବିରେ ପହଞ୍ଚିବା ବେଳକୁ ଅରିନ୍ଦମଙ୍କ ମୃତ୍ୟୁ ହୋଇସାରିଥିବା କହିଛନ୍ତି ଜରୁରୀକାଳୀନ ଅଧିକାରୀ। ଅପରପକ୍ଷରେ କ୍ୟାମେରାମ୍ୟାନ୍ ପ୍ରଭାତ ସିହ୍ନା ଗୁରୁତର ଅବସ୍ଥାରେ ଆଇସିୟୁରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଆଜି ମୁଣ୍ଡଳୀ ବ୍ୟାରେଜରେ ଫସିଥିବା ଏକ ହାତୀକୁ ଉଦ୍ଧାର କରିବା ପାଇଁ ଯାଇଥିଲେ ଓଡ୍ରାଫ୍ ଟିମ୍। ତାଙ୍କ ସହ ଓଟିଭିର ଚିଫ୍ ରିପୋର୍ଟର ଅରିନ୍ଦମ ଦାସ ଏବଂ କ୍ୟାମେରାମ୍ୟାନ୍ ପ୍ରଭାତ ସିହ୍ନା ମଧ୍ୟ ଖବର ସଂଗ୍ରହ ପାଇଁ ଯାଇଥିଲେ। ମାତ୍ର ଉଦ୍ଧାର ସମୟରେ ଓଡ୍ରାଫ୍ ଟିମ୍ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ପ୍ରଖର ସ୍ରୋତରେ ଭାସି ଯାଇଥିଲା ଡଙ୍ଗା। ଏହାପରେ ବନବିଭାଗ ଓ ଅଗ୍ନିଶମ ବିଭାଗର ମିଳିତ ଉଦ୍ୟମରେ ଜଣଙ୍କ ପରେ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ବହୁତ ସମୟର ସଂଘର୍ଷ ପରେ ଅରିନ୍ଦମ ଓ ପ୍ରଭାତଙ୍କୁ ଉଦ୍ଧାର କରାଯାଇ ଏସସିବିକୁ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ଅରିନ୍ଦମଙ୍କୁ ମୃତ ଘୋଷଣା କରିଥିଲେ। ଏଥିସହ ପ୍ରଭାତଙ୍କୁ ଗୁରୁତର ଅବସ୍ଥାରେ ତୁରନ୍ତ ଆଇସିୟୁରେ ଭର୍ତ୍ତି କରାଯାଇଛି।