Odia News Portal

୬୨୦ ଜିଲ୍ଲା ପରିଷଦରୁ ୫୫୪ରେ ଆଗୁଆ ବିଜେଡି

ପଞ୍ଚାୟତ ଭୋଟ୍‌ରେ ସବୁ ପୁରୁଣା ରେକର୍ଡକୁ ଭାଙ୍ଗି ନୂଆ ଇତିହାସ ଲେଖିବାକୁ ଯାଉଛି ଶାସକ ଦଳ । ଆଜି ଭୋଟ୍‌ ଗଣତିର ଦ୍ୱିତୀୟ ଦିନ ।  ୮୫୩ ଜିଲ୍ଲା ପରିଷଦ ଜୋନରୁ ୬୨୦ରେ ଗଣତି ଚାଲିଛି କିମ୍ବା ସରିଗଲାଣି । ସେଥିରୁ ୫୫୪ଟିରେ (୮୯%) ବିଜେଡି ଆଗୁଆ ରହିଛି । କଂଗ୍ରେସ ୨୯ଟିରେ ବିଜୟ ଲାଭ କରିବାକୁ ଯାଉଛି । ବିଜେପି ମାତ୍ର ୩୧ଟିରେ ଆଗୁଆ ରହି ୧୦ ବର୍ଷ ତଳକୁ ଫେରି ଯାଇଛି । ସ୍ୱାଧୀନ ଓ ଅନ୍ୟ ଦଳ ୬ଟି ହାସଲ କରୁଛନ୍ତି ।

ଗତକାଲି ପ୍ରଥମ ଦିନ ୩୧୫ଟି ଜିଲ୍ଲା ପରିଷଦ ଜୋନର ଭୋଟ୍‌ ଗଣତି ଆରମ୍ଭ ହୋଇଥିଲା । କେବଳ ଗୋଟିଏ ଜୋନକୁ ଛାଡି ୩୧୪ଟିର ଚୂଡାନ୍ତ ଫଳାଫଳ ଆଜି ଜଣାପଡିଛି । ସେଥିରୁ ବିଜେଡି ୨୮୧ଟିରେ ବିଜୟୀ ହୋଇଛି । ବିଜେପି ୧୫ଟି, କଂଗ୍ରେସ ୧୪ଟି, ସିପିଆଇ(ଏମ୍‌) ୧, ଜେଏମଏମ୍‌ ଗୋଟିଏ ପାଇଛନ୍ତି । ଦୁଇଟି ଜୋନରେ ସ୍ୱାଧୀନ ପ୍ରାର୍ଥୀ ଜିତିଛନ୍ତି ।

ଆଜି ଦ୍ୱିତୀୟ ଦିନରେ ୩୦୫ଟି ଜିଲ୍ଲା ପରିଷଦ ଜୋନର ଭୋଟ୍‌ ଗଣତି ଚାଲିଛି । ରାତି ୧୦ଟା ସୁଦ୍ଧା ବିଜେଡି ୨୭୩ଟିରେ ଆଗୁଆ ରହିଛି । କଂଗ୍ରେସ ୧୫ଟି, ବିଜେପି ୧୬ଟି ଓ ଅନ୍ୟାନ୍ୟ ୨ଟିରେ ଆଗୁଆ ରହିଛନ୍ତି । ଆସନ୍ତାକାଲି ତୃତୀୟ ଦିନରେ ଅବଶିଷ୍ଟ ୨୩୧ଟି ଜୋନର ଭୋଟ୍‌ ଗଣତି ହେବ । ୨୦୧୨ରେ ବିଜେଡି ଏକତରଫା ଭାବେ ୬୫୧ ଜିଲ୍ଲା ପରିଷଦ ଜୋନ୍‌ ଦଖଲ କରିଥିଲା । କଂଗ୍ରେସକୁ ୧୨୯ ଜୋନ୍‌ ଓ ବିଜେପି ଖାତାରେ ଥିଲା ମାତ୍ର ୩୬ଟି । ୨୦୧୭ ପଞ୍ଚାୟତ ନିର୍ବାଚନ ରାଜ୍ୟ ରାଜନୀତିର ସମୀକରଣ ବଦଳାଇ ଦେଇଥିଲା । ବିରୋଧୀ ଦଳ କଂଗ୍ରେସକୁ ପଛକୁ ଠେଲି ବିଜେପି ରାଜ୍ୟରେ ଦୁଇ ନମ୍ବର ଦଳର ପରିଚୟ ପାଇଥିଲା । ୨୦୧୭ ପଞ୍ଚାୟତ ନିର୍ବାଚନରେ ୧୫୫ ଜିଲ୍ଲା ପରିଷଦ ଜୋନ୍‌ ବିଜେଡି ହାତରୁ ଖସିଯାଇଥିଲା । ୨୦୧୭ରେ ୮୫୩ ଜିଲ୍ଲା ପରିଷଦ ଜୋନରୁ ବିଜେଡି ୪୭୬ଟି ଜୋନ୍‌ ଜିତିଥିବାବେଳେ ବିଜେପି ହାତେଇଲା ୨୯୭ ଓ କଂଗ୍ରେସ ଜିତିଥିଲା ୬୦ ଜୋନ୍‌ ।

ତେବେ ୨୦୨୨ ଗାଁ ଭୋଟ୍‌ ସବୁ ହିସାବ ଓଲଟାଇ ଦେଲା । ବିଜେଡି ବର୍ତ୍ତମାନ ସୁଦ୍ଧା ୫୫୪ଟି ଦଖଲ କରିବାକୁ ଯାଉଛି ।  ସେଥିରୁ ୩୦୭ଟି ଜିତିଛି ଓ ୨୪୭ରେ ଆଗୁଆ ରହିଛି । ଏହା ଆସନ୍ତାକାଲି ଗଣତିରେ ଆଉ ୧୫୦ ସିଟ୍‌ ମିଳିଲେ ସଂଖ୍ୟା ୭୦୦ ଟପିଯିବ । ଏପରିକି ୭୫୦ ପାଖାପାଖି ପହଞ୍ଚିବା ଅସମ୍ଭବ ନୁହେଁ । ବିଜେଡି ସଂଖ୍ୟା ୭୦୦ ଉପରକୁ ଗଲେ ଏହା ନୂଆ ରେକର୍ଡ ହେବ । ଏଥି ସହ ୩୦ରୁ ୩୦ ଜିଲ୍ଲା ପରିଷଦ ଦଖଲକୁ ନେବାକୁ ଯାଉଛି । ସମ୍ବଲପୁର, କନ୍ଧମାଳ ଜିଲ୍ଲାରେ ସବୁ ଜୋନରେ ଗଣତି ଆଜି ସରୁଛି । ଏହି ଦୁଇ ଜିଲ୍ଲା ପରିଷଦ ଦଖଲ ପାଇଁ ବିଜେଡିକୁ ଆବଶ୍ୟକ ସିଟ୍‌ ମିଳିଗଲାଣି । କେବଳ ଉପକୂଳ ଓଡ଼ିଶା ନୁହେଁ, ପଶ୍ଚିମ, ଦକ୍ଷିଣ, ଉତ୍ତର ସବୁଠି ଉଡିଛି ବିଜେଡିର ବିଜୟ ବାନା । ବିରୋଧୀଙ୍କୁ ଚକ୍‌ମା ଦେଇ ଏକତରଫା ଭାବେ ସାରା ଓଡ଼ିଶାରେ ଏବେ ଶଙ୍ଖଧ୍ୱନି । ୮ଟି ଜିଲ୍ଲା କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ଭଦ୍ରକ, ପୁରୀ, ଗଂଜାମ, ଝାରସୁଗୁଡା, ଦେବଗଡ଼ ଜିଲ୍ଲାରେ ସବୁ ଜିଲ୍ଲା ପରିଷଦ ଜୋନ୍‌ ବିଜେଡି କବଜାକୁ ଆସିବାକୁ ଯାଉଛି । ଏହି ୮ଟିରେ ବିଜେପି ଓ କଂଗ୍ରେସ ଖାତା ଖୋଲି ପାରି ନାହାନ୍ତି ।

ଆଜି ଦ୍ୱିତୀୟ ଦିନରେ ଯେଉଁ ଫଳାଫଳ ଆସିଛି ତାହା ବିରୋଧୀ ଶିବିରକୁ ଦୋହଲାଇ ଦେଇଛି । ଯେଉଁସବୁ ଜିଲ୍ଲାରେ ବିଜେପି ଭଲ ପ୍ରଦର୍ଶନ ଆଶା ରଖିଥିଲା, ସବୁଠି ମୂଳପୋଛ ଅବସ୍ଥାରେ । ୨୦୧୭ରେ ମୟୂରଭଂଜ, କଳାହାଣ୍ଡି, ସମ୍ବଲପୁର, ଦେବଗଡ଼, ବଲାଙ୍ଗୀର, ସୋନପୁର, ବରଗଡ଼ରେ ଏକାକୀ ସଂଖ୍ୟାଗରିଷ୍ଠତା ହାସଲ କରି ଜିଲ୍ଲା ପରିଷଦ ଗଠନ କରିଥିଲା । ଏଥରକ ଏହି ୭ଟି ଜିଲ୍ଲାରେ ବିଜେପି ଶୋଚନୀୟ ପ୍ରଦର୍ଶନ କରିଛି । କଳାହାଣ୍ଡିରେ ୬ଟି, ବଲାଙ୍ଗୀର, ବାଲେଶ୍ୱରରେ ୪ଟି ଲେଖାଁ, ଢେଙ୍କାନାଳ, କନ୍ଧମାଳ, ଖୋର୍ଦ୍ଧାରେ ୩ଟି ଲେଖାଁ ଜୋନରେ ବିଜେପି ଆଗୁଆ ରହିଛି । ସେହିପରି ସମ୍ବଲପୁର, ବୌଦ୍ଧରେ ଦୁଇଟି ଲେଖାଁ ଜୋନରେ ବିଜେପି ଜିତୁଛି । ଆଜି ରାତି ୧୨ଟା ସୁଦ୍ଧା ବିଜେପି ୧୮ଟି ବିଜୟୀ ହୋଇଛି ଓ ୧୩ଟିରେ ଆଗୁଆ ଅଛି ।

ସେପଟେ କଂଗ୍ରେସ ଦକ୍ଷିଣ ଓଡ଼ିଶାରେ ଆଜି ମଧ୍ୟ ନିଜ ଶକ୍ତି ଦେଖାଇ ଲଢ଼ୁଛି । କୋରାପୁଟରେ ୧୧ଟି, ରାୟଗଡାରେ ୫ଟି ଜୋନରେ କଂଗ୍ରେସ ଆଗରେ ରହିଛି । ବଲାଙ୍ଗୀର, କନ୍ଧମାଳ, ସୋନପୁର, ନବରଙ୍ଗପୁର, ମାଲକାନଗିରିରେ କଂଗ୍ରେସ ଖାତା ଖୋଲୁଥିବା ବେଳେ ଅନ୍ୟ ୨୩ଟି ଜିଲ୍ଲାରେ ମୂଳପୋଛ ହେବା ଅବସ୍ଥାକୁ ଆସିଯାଇଛି । ଆଜି ରାତି ୧୨ଟା ସୁଦ୍ଧା ଦଳ ୧୮ଟି ଜିତିଥିବା ବେଳେ ୧୧ଟିରେ ଆଗୁଆ ରହିଛି ।