Odia News Portal

ବିଜେଡି ନିଷ୍ପତ୍ତି ଉପରେ ବିରୋଧୀ ଦଳର ନଜର


 
ଭୁବନେଶ୍ୱର : ପିପିଲି ଉପନିର୍ବାଚନକୁ ସମ୍ମାନ ରକ୍ଷା ଭାବେ ଲଢିବାକୁ ଯାଉଥିବା ବିଜେପି ଓ କଂଗ୍ରେସ ପ୍ରାର୍ଥୀଚୟନ ନେଇ ନିଜର ପତ୍ତା ଖୋଲୁନାହିଁ । ଉଭୟ ବିରୋଧିଦଳ ଏବେ ବିଜେଡି ସମେତ ମହାରଥୀ ପରିବାର ଉପରେ ତୀକ୍ଷ୍ଣ ନଜର ରଖିଥିବାବେଳେ ବିଜେଡି ବି କିଛି ସ୍ପଷ୍ଟ କରୁନାହିଁ । ତେଣୁ କୌଣସି ଦଳର କର୍ମୀମାନେ ଏପର୍ଯ୍ୟନ୍ତ ଉପନିର୍ବାଚନକୁ ନେଇ ପିପିଲିରେ ସେତେଟା ସକ୍ରିୟ ହୋଇପାରୁ ନାହାନ୍ତି ।


ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କ ଅକାଳ ବିୟୋଗ ପରେ ପିପିଲରେ ଉପନିର୍ବାଚନ ହେବାକୁ ଯାଉଛି । ଏହି ନିର୍ବାଚନରେ ବିଜେଡି ପ୍ରାର୍ଥୀଭାବେ ମହାରଥୀ ପରିବାରରୁ କିଏ ଟିକଟ ପାଇବ ତାହାକୁ ନେଇ କିଛି ସ୍ପଷ୍ଟ ହୋଇପାରୁ ନାହିଁ । ସ୍ବର୍ଗତ ମହାରଥୀଙ୍କ ପତ୍ନୀ ପ୍ରତିଭା ଓ ପୁତ୍ର ରୁଦ୍ର ଉଭୟ ଟିକଟ ପାଇଁ ଆଗ୍ରହୀ ଥିବାବେଳେ ସେମାନଙ୍କ ସମର୍ଥକମାନେ ଏକ ପ୍ରକାର ଦୁଇଭାଗ ହୋଇଯାଇଛନ୍ତି । ତେବେ କ୍ଷେତ୍ର ସ୍ତରରୁ ମିଳୁଥିବା ସୂଚନା ଅନୁଯାୟୀ ପୁଅ ରୁଦ୍ରଙ୍କ ସପକ୍ଷରେ ଯୁବ ଗୋଷ୍ଠି ଥିବାବେଳେ ବିଜେଡିର ଆଉ ଗୋଟିଏ ଗୋଷ୍ଠି ପ୍ରତିଭାଙ୍କ ସପକ୍ଷରେ ଅଛନ୍ତି। ପିପିଲିରେ ହେଉଥିବା ଆଲୋଚନା ଅନୁଯାୟୀ ମା’ ପୁଅଙ୍କ ଶୀତଳଯୁଦ୍ଧ ଭିତରେ ଝିଅ ବି ଏର୍ଣ୍ଟ୍ରି ମାରିବାକୁ ଉଦ୍ୟମ ଚଳାଇଛନ୍ତି।

ମହାରଥୀ ପରିବାରରେ ଏଭଳି ସ୍ଥିତି ଯୋଗୁଁ ପିପିଲି ନିର୍ବାଚନ ଦାୟିତ୍ୱରେ ଥିବା ବିଜେଡିର ବରିଷ୍ଠ ନେତା ପ୍ରତାପ ଦେବ ଘନ ଘନ ବୈଠକ କରୁଥିଲେ ମଧ୍ୟ ଚୂଡ଼ାନ୍ତ ନିଷ୍ପତ୍ତି ନେଇ ପାରୁ ନାହାଁନ୍ତି । ଇତି ମଧ୍ୟରେ ଶ୍ରୀ ଦେବ ପୁରୀ ଜିଲ୍ଲାର ବରିଷ୍ଠ ବିଜେଡି ନେତାମାନଙ୍କ ସହ ଏକାଧିକ ବୈଠକ କରିସାରିଲେଣି । ନିକଟରେ ପାନ୍ଥନିବାସ ଠାରେ ପିପିଲିର ବିଜେଡିକର୍ମୀଙ୍କୁ ନେଇ ବି ବୈଠକ ଅନୁଷ୍ଠିତ ହୋଇଥିଲା ।

ତେବେ ସୂଚନା ଅନୁଯାୟୀ ବିଜେଡିର କିଛି ବରିଷ୍ଠ ନେତା ପ୍ରତିଭାଙ୍କ ସପକ୍ଷରେ ମତ ଦେଉଥିବାରୁ ପ୍ରାର୍ଥୀ ଅଙ୍କ ଛିଡିପାରୁ ନାହିଁ। ଅନ୍ୟ ପକ୍ଷରେ ବିଜେଡି ପ୍ରାର୍ଥୀ ତାଲିକା ଘୋଷଣା କରିପାରି ନଥିବାରୁ ବିଜେପି ଓ କଂଗ୍ରେସ ବି ଏକ ପ୍ରକାର ଅଡୁଆରେ ପଡିଯାଇଛନ୍ତି। ଦୁଇ ଦଳ ପ୍ରାର୍ଥୀ ଚୂଡାନ୍ତ ‘ପାଇଁ ଅପେକ୍ଷାରେ ଥିବାରୁ ଉଭୟ ଦଳରେ ଆଶାୟୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେବେ ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନରେ ବିଜେପି ଦ୍ୱିତୀୟ ସ୍ଥାନରେ ରହି ପରାଜିତ ହୋଇଥିବାବେଳେ କଂଗେସ ଶୋଚନୀୟ ଭାବେ ହାରିଥିଲା। ତେଣୁ ପିପିଲି ଉପନିର୍ବାଚନଟିକୁ ବିଜେପି କୌଣସି ପ୍ରକାରେ ଜିତିବାପାଇଁ ସଜବାଜ ହେଉଥିବାବେଳେ କଂଗ୍ରେସ ତାହାର ସ୍ଥିତିରେ ଉନ୍ନତି ପାଇଁ ଲକ୍ଷ୍ୟ ରଖିଛି । ହେଲେ ମହାରଥୀଙ୍କ ପରିବାରେ ଟିକଟ ପାଇଁ ଚାଲିଥିବା ଛକାପଞ୍ଝା ଓ ବିଜେଡି କୌଣସି ଚୂଡାନ୍ତ ‘ ସ୍ଥିତିରେ ଉପନୀତ ହୋଇନପାରିବା ଏବେ ବିଜେପି ଓ କଂଗ୍ରେସ ପାଇଁ ଚିନ୍ତାର କାରଣ ହୋଇଛି । ବିଜେଡି ତାହାର ପ୍ରାର୍ଥୀ ଘୋଷଣା କଲାପରେ ବିଜେଡି ଅସନ୍ତୁଷ୍ଟଙ୍କୁ ଆୟୁଧ କରି ଉଭୟ ବିରୋଧିଦଳ ସେମାନଙ୍କର ପ୍ରାର୍ଥୀ ତାଲିକା ଘୋଷଣା କରିବେ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳୁଛି ।