Odia News Portal

ତିନି ରାଜନୈତିକ ଦଳର ଭିନ୍ନ ଚିନ୍ତା

ପିପିଲି ପଲିଟିକ୍ସ

ଭୁବନେଶ୍ୱର : ପିପିଲି ଉପନିର୍ବାଚନ ଯେତିକି ପାଖେଇ ଆସୁଛି ବିଜେଡି, ବିଜେପି ଓ କଂଗ୍ରେସର ରକ୍ତଚାପ ସେତିକି ସେତିକି ବଢିବାରେ ଲାଗିଛି । ତେବେ ତିନିଦଳର ରକ୍ତଚାପ ବଢିବାର କାରଣ ଭିନ୍ନ । ବିଜେଡିର ଚିନ୍ତା ମାର୍ଜିନ ହୋଇଥିବାବେଳେ ବିଜେପି ପାଇଁ ଏହା ହାରଜିତ୍‌  ଓ କଂଗ୍ରେସ ପାଇଁ ପାରମ୍ପରିକ ଭୋଟକୁ ଧରି ରଖିବାର ଚିନ୍ତା ।  ତିର୍ତ୍ତୋଲ ଓ ବାଲେଶ୍ୱର ଦୁଇଟି ଉପନିର୍ବାଚନ ଜିଣିବାପରେ ବିଜେଡି ପିପିଲିରେ ଭଲ ପ୍ରଦର୍ଶନ କରିବ ବୋଲି ହିସାବ କରିଛି । କାରଣ ପିପିଲିରେ ସ୍ୱର୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ଗଡ ଥିବାବେଳେ ଏବେ ତାଙ୍କର ପୁଅ ପ୍ରାର୍ଥୀ ହୋଇଛନ୍ତି । ତେଣୁ ବିଜେଡି ଭୋଟ ସହିତ ଅନୁକମ୍ପା ଭୋଟ ବି ଦଳକୁ ମିଳିବ ।

ଏଠାରୁ ବିଜେଡି ଜିତିବା ଏକ ପ୍ରକାର ନିଶ୍ଚିତ ହୋଇଥିବାବେଳେ ବିଜୟ ବ୍ୟବଧାନ କେତେ ରହିବ ତାହାକୁ ନେଇ ଅଙ୍କକଷା ଆରମ୍ଭ ହୋଇଯାଇଛି । ବିଶେଷକରି ଦଳର ଯେଉଁମାନେ ନିର୍ବାଚନ ଦାୟିତ୍ୱରେ ଅଛନ୍ତି ସେମାନଙ୍କ ପାଇଁ ଏହା ଅଗ୍ନିପରୀକ୍ଷା ଭଳି ହୋଇଛି । ଗତ ଦୁଇଟି ଉପନିର୍ବାଚନ ମଧ୍ୟରୁ ତିର୍ତ୍ତୋଲରେ ବିଜେଡି ରେକର୍ଡ ସଂଖ୍ୟକ ଭୋଟରେ ବିଜୟୀ ହୋଇଥିବାବେଳେ ବାଲେଶ୍ୱରରେ କିନ୍ତୁ ବିଜେପି କଡା ଟକ୍କର ଦେଇଥିଲା ।ସେହିଭଳି ବିଜେପି ପ୍ରାର୍ଥୀ ଆଶ୍ରିତ ଏଠାରୁ ଜିଣିବାପାଇଁ ସମସ୍ତ ବଳ ଖଟାଉଛନ୍ତି । ଗତ ନିର୍ବାଚନରେ ଆଶ୍ରିତ ପ୍ରାୟ ୧୫ହଜାର ଭୋଟରରେ ମହାରଥୀଙ୍କ ଠାରୁ ହାରି ଯାଇଥିଲେ ।

ବିଜେଡି ଓ ବିଜେପି ମଧ୍ୟରେ କଡା ଟକ୍କର ହୋଇଥିଲା । ରାଜନୈତିକ ଅଭିଜ୍ଞତା ଦୃଷ୍ଟିରୁ ଆଶ୍ରିତ ଆଗରେ ରହିଥିବାବେଳେ ଗତ ଦୁଇ ଦୁଇଟି ଉପନିର୍ବାଚନରେ ହାରିଥିବା ବିଜେପି କୌଣସି ପ୍ରକାରେ ପିପିଲି ଆସନ ହାତେଇବା ପାଇଁ ଉଦ୍ୟମ କରିବ । ଏଥିପାଇଁ ଦଳ ପକ୍ଷରୁ ଜୁମ୍ବୋ ଟିମ୍‌ ଘୋଷଣା କରାଯାଇଛି ।କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କୁ ମଧ୍ୟ ଦଳ ଏଠାରୁ ରିପିଟ୍‌ କରିଛି । ଗତ ନିର୍ବାଚନରେ ଅଜିତ କଂଗ୍ରେସ ପ୍ରାର୍ଥୀ ଭାବେ ଏଠାରୁ ୧୦ହଜାରରୁ କମ୍‌ ଭୋଟ ପାଇଥିଲେ । ସେତେବେଳେ କୁହାଯାଇଥିଲା ଯେ କଂଗ୍ରେସର ଅଧିକାଂଶ ଭୋଟ ଅନ୍ୟ ଦଳକୁ ପଳାଇଥିଲା ।

ଗତ ଦୁଇଟି ଉପନିର୍ବାଚନରେ ବି କଂଗ୍ରେସ ଭୋଟର ସମାନ ଅବସ୍ଥା ହୋଇଥିଲା । ତେବେ ଏଥର ପିପିଲିରେ ଅଜିତ ନିଜର ପୂର୍ବ ଭୋଟରେ କିଛି ଯୋଡୁଛନ୍ତି ନା ସେଥିରୁ କିଛି କଟୁଛି ତାହା ଉପରେ ନଜର । ଅତି କମ୍‌ରେ ନିଜର ଭୋଟ ପରିମାଣ ବଢାଇବାକୁ ଅଜି ଲାଗିପଡିଛନ୍ତି । ହାରି ହାରି ହାଲିଆ ହୋଇଯାଇଥିବା କଂଗ୍ରେସ ପାଇଁ ବି ପିପିଲି ଆଉ ଏକ ଅଗ୍ନିପରୀକ୍ଷା ଭାବେ ଉଭା ହୋଇଛି ।ତେଣୁ ମୋଟାମୋଟି ଭାବେ ପିପିଲି ପଲିଟିକ୍ସ ତିନି ପ୍ରମୁଖ ଦଳ ପାଇଁ ଭିନ୍ନ ସ୍ୱାଦ ନେଇ ଆସିଛି । କାହାର  ବିଜୟ ବ୍ୟବଧାନ ଚିନ୍ତା ତ ଆଉ କାହାର ବିଜୟ ଚିନ୍ତା । ତେବେ କେବଳ କଂଗ୍ରେସ ନିଜର ଭୋଟ ସଂଖ୍ୟା ବୃଦ୍ଧିକୁ ନେଇ ବ୍ୟସ୍ତ ରହିଛି । ଆଗାମୀ ୧୭ତାରିଖରେ ପିପିଲିବାସୀ କାହା ପଟକୁ ଢଳିବେ ତାହା ଉପରେ ସମସ୍ତଙ୍କ ନଜର ।