Odia News Portal

ଡିଜିଟାଲ ସ୍ୱାସ୍ଥ୍ୟ ମିଶନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜିଠାରୁ ସାରା ଦେଶରେ ଲାଗୁ ହୋଇଛି ଡିଜିଟାଲ ସ୍ୱାସ୍ଥ୍ୟ ମିଶନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡ଼ିଓ କନଫରେନ୍ସିଂ ଜରିଆରେ ଏହାର ଶୁଭାରମ୍ଭ କରିଛନ୍ତି । ଏବେ ୬ଟି କେନ୍ଦ୍ରଶାସିତ ଅଞ୍ଚଳରେ ଏହା ପାଇଲଟ୍ ଭିତ୍ତିରେ କାର୍ୟ୍ୟକାରୀ ହେଉଛି । ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ।

ପ୍ରଧାନମନ୍ତ୍ରୀ କହିଛନ୍ତି, ‘କରୋନା କାଳରେ ଟେଲିମେଡିସିନ୍ ର ମଧ୍ୟ ଅପ୍ରତ୍ୟାଶିତ ବୃଦ୍ଧି ଘଟିଛି | ଇ-ସଞ୍ଜୀବନୀ ମାଧ୍ୟମରେ ଏପର୍ଯ୍ୟନ୍ତ ପ୍ରାୟ ୧.୨୫ କୋଟି ରିମୋଟ୍ କନସଲଟେସନ୍ ହୋଇପାରିଛି। ଏହି ସୁବିଧା ଦେଶର ଦୂରଦୂରାନ୍ତରେ ରହୁଥିବା ହଜାର ହଜାର ଦେଶବାସୀଙ୍କୁ ଘରେ ବସି ସହରର ବଡ ଡାକ୍ତରଖାନାର ଡାକ୍ତରଙ୍କ ସହ ଯୋଡ଼ି ପାରିଛି।

ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟତୀତ ଡିଜିଟାଲ ସ୍ୱାସ୍ଥ୍ୟ ମିଶନର ଶୁଭାରମ୍ଭ କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ମଧ୍ୟ ଉପସ୍ଥିତ ଅଛନ୍ତି। ଏହି ଅବସରରେ ମାଣ୍ଡଭୀୟ କହିଛନ୍ତି ଯେ ୧୫ ଅଗଷ୍ଟ ୨୦୨୦ରେ ପ୍ରଧାନମନ୍ତ୍ରୀ ଲାଲ୍ କିଲ୍ଲାରୁ ମିଶନ (ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ) ସମ୍ପର୍କରେ ଘୋଷଣା କରିଥିଲେ। ମୁଁ ଖୁସି ଯେ ସେ ଆଜି ଏହାକୁ ସେ ଲଞ୍ଚ୍ କରୁଛନ୍ତି। ମୁଁ ନିଶ୍ଚିତ ଏହା ସ୍ୱାସ୍ଥ୍ୟ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବ।