Odia News Portal

ସରକାରୀ ସହାୟତାରୁ ବଞ୍ଚିତ ୬୮ ବର୍ଷର ବୃଦ୍ଧ ତ୍ରିନାଥ!ଲେମ୍ବୁ କଞ୍ଚାଲଙ୍କାରେ ବିତୁଛି ଜୀବନ

ପୋଲସରା : ଗଂଜାମ ଜିଲ୍ଲା ପୋଲସରା ଏନ୍.ଏ.ସିର ୧୪ ନଂ ଓ୍ବାଡ଼ ନିଗମ ନଗର ସାହିରେ ଦିର୍ଘ ୫ ବର୍ଷ ହେଲା ନିଜ ଝିଅ ଜ୍ବାଇଁ ଘରେ ବୃଦ୍ଧ ତ୍ରିନାଥ ଓ ତାଙ୍କ ସ୍ତ୍ରୀ ଉଭୟେ ରହି ଆସୁଛନ୍ତି । ଅଭାବ ଅନାଟନରେ ପରିବାରର ବୋଝକୁ ମୁଣ୍ଡରେ ଧରି ପୋଲସରା ଗୋପବନ୍ଧୁ ହାଇସ୍କୁଲ ଛକ ଉପରେ ଲେମ୍ବୁ କଞ୍ଚାଲଙ୍କା ବିକ୍ରୀ କରି ନିଜ ପରିବାର ପ୍ରତିପୋଷଣ କରି ଆସୁଛନ୍ତି । ବୟସର ଅପରାହ୍ନରେ ଆର୍ଥିକ ଅନାଟନରେ ଦହଗଞ୍ଜ ହୋଇ ଥିବା ବୃଦ୍ଧ ଙ୍କୁ ନା ମିଳୁଛି ବାର୍ଦ୍ଧକ୍ୟ ଭତ୍ତା ନା ମିଳୁଛି ସରକାରଙ୍କ ଯୋଜନା ମୁତାବକ କିଛି ସହାୟତା । ମିଳିଛି କେବଳ ସରକାରୀ ବାବୁ ବାବୁଆଣୀଙ୍କ ଶୁଖିଲା ପ୍ରତିଶ୍ରୁତି । ଆଉ ସେହି ପ୍ରତିଶ୍ରୁତିକୁ ନେଇ ଅସହାୟ ବୃଦ୍ଧ ବାପା ଆଖିର ଲୁହ ଶୁଖୁଛି ନାଁ ପେଟର ଭୋକ ମରୁଛି । କେବଳ ନିଜ ଭାଗ୍ୟ କୁ ଆଦରି ଖୋଲା ଆକାଶର ସଡ଼କ ଉପରେ ବସି ଲେମ୍ବୁ କଞ୍ଚାଲଙ୍କା ବିକିବା ହିଁ ସାର ହେଉଛି ।

ଆର୍ଥିକ ଅନାଟନ ମଧ୍ୟରେ ଥିବା ଚାଳ ଛପର ଘରଟି କେବେଠୁଁ ଭାଙ୍ଗି ରୁଜି ପଡ଼ିଛି । ଯାହାକୁ ନେଇ ସରକାରଙ୍କ ପକ୍ଷରୁ କୌଣସି ସାହାଯ୍ୟ ସହଯୋଗ କିମ୍ବା ଅନୁକମ୍ପା ମଧ୍ୟ ନାହିଁ । କେବଳ ବୃଦ୍ଧଙ୍କ ସ୍ତ୍ରୀ ଲକ୍ଷ୍ମୀ ଡାକୁଆ ଙ୍କୁ ସରକାରଙ୍କ ପକ୍ଷରୁ ମାସିକ ୫ଶହ ଟଙ୍କା ଭର୍ତ୍ତା ମିଳୁଥିବା ବେଳେ ବୃଦ୍ଧ କିନ୍ତୁ ସରକାରଙ୍କ ସମସ୍ତ ଯୋଜନାରୁ କୋଷୋ ଦୂରରେ ରହି ମୁଖ୍ୟ ସଡ଼କ ଉପରେ ବସି ଲେମ୍ବୁ ଏବଂ କଞ୍ଚାଲଙ୍କା ବିକ୍ରୀ କରୁଥିବା ଦେଖିବାକୁ ମିଳିଛି । ଏଠି ଖଟିଖିଆ ଗରିବ ଶ୍ରେଣୀର ଲୋକଙ୍କ ପାଇଁ ସରକାରଙ୍କ ଯୋଜନା ଗୁଡିକ ଆକାଶ କଁୟାଁ ଚିଲିକା ମାଛ ପରି ଭେଳିକି ହେଉଥିବା ବେଳେ ଧନୀଶିଳ ବ୍ୟକ୍ତି ଏଠି ମାଲାମାଲ । ଆଉ ଏପଟେ ଅସହାୟ ନିରୀହ ଗରିବ ଲୋକଟି ମୂକସାକ୍ଷୀ ପରି କାହାକୁ କିଛି ନକହି ଅସହାୟ ଅବସ୍ଥାରେ ନିଜ କର୍ମକୁ ଆଦରି ସରକାରୀ ଯୋଜନା କୁ ଅନାଇଁ ରହିଛି । ହେଲେ ଏଠି ପ୍ରଶ୍ନ ଉଠୁଛି ସରକାର ଗରୀବଙ୍କ ପାଇଁ ଯୋଜନା କରୁଥିବା ବେଳେ ଧନୀବ୍ୟକ୍ତି ମାନେ ଫାଇଦା ପାଉଥିବା ବେଳେ ଅସହାୟ ବୃଦ୍ଧ ତ୍ରିନାଥ ଏଠି ଲେମ୍ବୁ କଞ୍ଚାଲଙ୍କା ବିକ୍ରୀ କରୁଛି । ହେଲେ ଦେଖିବାକୁ ବାକି ରହିଲା ସରକାର କେବେ ଏହି ଅସହାୟ ବୃଦ୍ଧଙ୍କ ଦୁଖ ବିଝି ସରକାରୀ ସାହାଯ୍ୟ ସହଯୋଗ ପ୍ରଦାନ କରୁଛନ୍ତି ।