Odia News Portal

ସମ୍ମୁଖ ଯୋଦ୍ଧା ନେଲେ କରୋନା ଟିକା

କଟକ: ରାଜ୍ୟରେ ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକାକରଣ । ଦ୍ୱିତୀୟ ପର୍ଯ୍ୟାୟରେ ମୋଟ ୧୬ହଜାର ସମ୍ମୁଖ ଯୋଦ୍ଧା ଟିକା ନେବାକୁ ପଞ୍ଜିକୃତ ହୋଇଛନ୍ତି। ପ୍ରଥମ ପର୍ଯ୍ୟାୟ ଟିକାକରଣରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯାଇ ଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଗୃହ ଓ ନଗର ଉନ୍ନୟନ ଏବଂ ରାଜସ୍ୱ ବିଭାଗ କର୍ମଚାରୀ ଟିକା ନେବେ।

ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକାକରଣରେ କଟକ, ଭୁବନେଶ୍ୱର, ସମ୍ବଲପୁର ସମେତ ସାରା ରାଜ୍ୟରେ ଟିକା ନେବା ପାଇଁ ଆଗେଇ ଆସିଲେ ଆଗଧାଡିର ଯୋଦ୍ଧା । ପୋଲିସି ଡିଜି ଅଭୟ ମଧ୍ୟ ଟିକାକରଣରେ ସାମିଲ ହୋଇଛନ୍ତି । ଏବଂ ଟିକାକରଣକୁ ପ୍ରଶଂସା କରିଛନ୍ତି ପୋଲିସ ଡିଜି ।ସେହିଭଳି ଅଗ୍ନିଶମ ବିଭାଗର ଡିଜି ସତ୍ୟଜିତ ମହାନ୍ତି ମଧ୍ୟ କରୋନା ଟିକା ନେଇଛନ୍ତି | ସେପଟେ କମିଶନର ସୁଧାଂଶୁ ଷଢଙ୍ଗୀ ମଧ୍ୟ ଟିକା ନେବାକୁ ପଛ ଘୁଞ୍ଚା ଦେଇ ନାହାନ୍ତି | ଆଜି ପୋଲିସ ଡିଜି ଅଭୟଙ୍କ ସମେତ କମିଶନର ସୁଧାଂଶୁ ଷଢଙ୍ଗୀ ମଧ୍ୟ ଟିକା ନେଇଛନ୍ତି | ଟିକା ନେବାପରେ ପୋଲିସ କମିଶନର ସୁଧାଂଶୁ ଷଢଙ୍ଗୀ ନିଜ ପ୍ରତିକ୍ରିୟାରେ କହିଛନ୍ତି, ‘ଆମେ ଗୁଳିକୁ ଡରିନୁ,ତେବେ ଟିକା ନେବାକୁ କାହିଁକି ଡରିବୁ’ ।

ସେହିଭଳି ଆଗ ଧାଡିର କରୋନା ଯୋଦ୍ଧାଙ୍କ ମଧ୍ୟରେ ଟିକା ନେବାକୁ ଆଗେଇ ଆସିଛନ୍ତି ଗଞ୍ଜାମ ଛତ୍ରପୁରରେ ଜିଲ୍ଲାପାଳ ଓ ଏସପି । ଟିକା ନେବା ପରେ ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ ଟିକାକରଣ କେନ୍ଦ୍ରରେ ବିଶ୍ରାମ ନେଇଥିଲେ । ଏହା ପରେ ଜିଲ୍ଲାପାଳ କହିଛନ୍ତି ଡ଼ରନ୍ତୁ ନାହିଁ ଟିକା ନିଅନ୍ତୁ । ସେହିପରି ଭୁବନେଶ୍ୱରରେ ମଧ୍ୟ ଟିକାକରଣ ଆରମ୍ଭ ହୋଇଛି । ଭୁବନେଶ୍ୱରରେ ପ୍ରଥମ ଦିନରେ ଆଜି ୬ଟି ସ୍ଥାନରେ ଟିକାକରଣର ବ୍ୟବସ୍ଥା କରାଯାଇଛି।ଭୁବନେଶ୍ୱରର ୟୁନିଟ ୮, କଟକ ରୋଡ଼ ସ୍ଥିତ ଯାତ୍ରୀ ନିବାସ ଓ ଚନ୍ଦ୍ରଶେଖରପୁର କଲ୍ୟାଣମଣ୍ଡପ ସହିତ କମିଶନରେଟ ପୋଲିସ ମୁଖ୍ୟାଳୟ, ୭ମ ବାଟାଲିଅନ ଓ ରିଜର୍ଭ ପୋଲିସରେ ଟିକାକରଣ ହେବ। ପ୍ରତି କେନ୍ଦ୍ରରେ ୧୦୦ଜଣ ଲେଖାଏଁ ସମ୍ମୁଖ ଯୋଦ୍ଧା ଟିକା ଗ୍ରହଣ କରିବେ । ତେବେ ଭୁବନେଶ୍ୱରରେ ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ କୋଭାକ୍ସିନ୍ ଟିକା ଦିଆଯାଇଛି ।