Odia News Portal

ପରୀ ମୃତ୍ୟୁ ମାମଲାର ଅଧିକ ଯାଞ୍ଚ ପାଇଁ ପୋଖରୀ ଶୁଖାଇବ ପୋଲିସ

ଯଦୁପୁରରେ କ୍ରାଇମ ବ୍ରାଞ୍ଚ ଏସଆଇଟି ଟିମ୍ । ନୟାଗଡ଼ ଯଦୁପୁର ପରୀ ମୃତ୍ୟୁ ମାମଲାରେ ଏସଆଇଟି ଛାନଭିନ ଚଳାଇଥିବା ବେଳେ ଆଜି ଯଦୁପୁରରେ ପହଁଚି ଅଭିଯୁକ୍ତ ମାଙ୍କ ସହ ଆଲୋଚନା ଜାରି ରଖିଛି । ନୟାଗଡର ନାବାଳିକା ପରୀ ହତ୍ୟା ମାମଲାରେ ଗତକାଲି ହୋଇଥିଲା ପ୍ରଥମ ଗିରଫଦାରୀ ।

ସେପଟେ ପରୀ ପାଇଁ ଶୁଖାଯିବ ପୋଖରୀ । ପରୀ ମୃତଦେହର କିଛି ଅଂଶ ପୋଖରୀରେ ପଡିଥିବା ସନ୍ଦେହ କରୁଛି କ୍ରାଇମ ବ୍ରାଞ୍ଚ୍ । କାରଣ ପରୀ ଘରର ବାଡିପଟେ ରହିଛି ଏହି ପୋଖରୀ । ଏହା ନିକଟରୁ ପରୀର ଗଳିତ ମୃତଦେହ ଉଦ୍ଧାର ହୋଇଥିଲା । ପୋଖରୀରେ ପରୀ ଶରୀରର କିଛି ଅଂଶ ରହିଥିବା ନେଇ ଅନୁମାନ କରାଯାଉଛି । ତେଣୁ ପମ୍ପ ସାହାଯ୍ୟରେ ପୋଖରୀ ଶୁଖାଇବାକୁ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି ।

ତେବେ ଏହି ଘଟଣାର ଦୀର୍ଘ ୫ ମାସ ପରେ ଅଭିଯୁକ୍ତକୁ ଗିରଫ କରିଛି କ୍ରାଇମ ବ୍ରାଞ୍ଚ୍ । ଆଜି ତାକୁ ନୟାଗଡ ପକସୋ କୋର୍ଟରେ ହାଜର କରାଯିବ । ପରୀ ହତ୍ୟା ମାମଲାର ଯାଞ୍ଚ କରୁଥିବା ଏସଆଇଟି ନୟାଗଡର ସେହି ଯଦୁପୁର ଗାଁରୁ ଅଭିଯୁକ୍ତକୁ ଧରିଥିଲା । ଅଭିଯୁକ୍ତ ବିରୋଧରେ ୩୭୬ ଏ , ବି , ଅର୍ଥାତ୍ ୧୨ ବର୍ଷରୁ କମ୍ ନାବାଳିକାକୁ ଦୁଷ୍କର୍ମର ଦଫା ମଧ୍ୟ ଲାଗିଛି । ପରୀକୁ ଅପହରଣ କରାଯାଇ ଦୁଷ୍କର୍ମ କରି ହତ୍ୟା କରା ଯାଇଥିବାରୁ ଅପହରଣର ଧାରା ୩୬୪ ଓ ହତ୍ୟା ପାଇଁ ୩୦୨ ଧାରା ମଧ୍ୟ ଲଗାଯାଇଛି । ସେହିପରି ପ୍ରମାଣ ନଷ୍ଟ ଓ ଭୁଲ ତଥ୍ୟ ଦେଇ ତଦନ୍ତକୁ ବାଟବଣା କରିବା ଅଭିଯୋଗରେ ଆଇପିସିର ଧାରା ୨୦୧ ଲଗାଯାଇଛି । ପକସୋ ଆକ୍ଟର ଧାରା ୬ ମଧ୍ୟ ଅଭିଯୁକ୍ତ ବିରୋଧରେ ଲଗାଇଛି ଏସଆଇଟି ।