Odia News Portal

ତିନି ଦିନିଆ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ, ରାଜ୍ୟ ପୁଲିସ ପକ୍ଷରୁ ସୁରକ୍ଷା ସମୀକ୍ଷା

ଆସନ୍ତା ଅଗଷ୍ଟ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତରେ ଆସିବେ। ୪ ତାରିଖ ପୂର୍ବାହ୍ନରେ ଭୁବନେଶ୍ୱର ରେଳ ଷ୍ଟେସନଠାରୁ ବ୍ରହ୍ମପୁର ଅଭିମୁଖେ ଟ୍ରେନ ଯୋଗେ ଗସ୍ତ କରିବେ। ଏହାକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତିଙ୍କ ଗସ୍ତକୁ ସୁରକ୍ଷିତ, ସୁବ୍ୟବସ୍ଥିତ ଏବଂ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ନିମନ୍ତେ ଆଜି (ଶୁକ୍ରବାର) ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ  ଅନୁଷ୍ଠିତ ଏହି ବୈଠକରେ ସମସ୍ତ  ବିଭାଗ ମଧ୍ୟରେ ଉପଯୁକ୍ତ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ଗୁରୁତ୍ବ ଦେଇଛନ୍ତି। ପୁଲିସ, ରେଳବାଇ ଏବଂ ସାଧାରଣ ପ୍ରଶାସନ ମଧ୍ୟରେ ସମ୍ପୂର୍ଣ୍ଣ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ଡିଜିପି ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି।

ସୁରକ୍ଷା ବ୍ୟବସ୍ଥାରେ କୌଣସି ପ୍ରକାର ତ୍ରୁଟି କିମ୍ବା ବ୍ୟତିକ୍ରମ ନ ଘଟିବା ପାଇଁ ପ୍ରତ୍ୟେକ ବ୍ୟବସ୍ଥାର ନିୟମିତ ସମୀକ୍ଷା ଓ ତଦାରଖ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ପାଇଁ କାର୍ଯ୍ୟକ୍ରମ ସ୍ଥଳ ଏବଂ ଭିଭିଆଇପିଙ୍କ ଯାତାୟାତ ମାର୍ଗରେ  ସୁରକ୍ଷା ବଳୟ ପ୍ରସ୍ତୁତ କରାଯିବା ସହ ବୈଷୟିକ ଯାଞ୍ଚ ଓ ଆଣ୍ଟି-ସାବୋଟାଜ୍ ଯାଞ୍ଚ ସହ ସମ୍ପୂର୍ଣ୍ଣ ସତର୍କ ଓ ପ୍ରସ୍ତୁତ ରହିବାକୁ  ନିର୍ଦ୍ଦେଶ ଦିଆଯାଇଛି।