Odia News Portal

ଛାତ ଉପରେ ରହି ରଥଯାତ୍ରା ଦେଖିବା ଉପରେ କଟକଣା

ପୁରୀ: ଚଳିତ ବର୍ଷ ବିନା ଭକ୍ତରେ ହେବ ରଥଯାତ୍ରା । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ଘୋଷଣା କରାଯାଇଥିବା ବେଳେ ଆଜି ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି କି, ଛାତ ୁପରେ ରହି ରଥଯାତ୍ରା ଦେଖିବା ମନା । ଶ୍ରଦ୍ଧାଳୁମାନେ ରଥଯାତ୍ରା ସମୟରେ ଘରେ ରହିବାକୁ କୁହାଯାଇଛି । ପୁରୀ ବଡ଼ଦାଣ୍ଡରେ ଥିବା ସମସ୍ତ ହୋଟେଲକୁ ସର୍ଭେ କରି ଖାଲି କରାଯିବ । ପୁରୀ ସହରରେ ରଥଯାତ୍ରା ବେଳେ କର୍ଫ୍ୟୁ ବଳବତ୍ତର ରହିବା ସହ ରାଥଯାତ୍ରାର ପୂର୍ବ ରାତି ଓ ପରଦିନ ଅପରାହ୍ନ ପର‌୍ୟ୍ୟନ୍ତ ଏହି କର୍ଫ୍ୟୁ ଜାରି ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ତେବେ ରଥଯାତ୍ରା ସହ ବାହୁଡ଼ା ଯାତ୍ରା ବେଳେ ମଧ୍ୟ କଟକଣା ଲାଗୁ କରିବାକୁ ପ୍ରଶାସନ ପ୍ରସ୍ତୁତି ଚଳାଇଛି ।

ଆଗାମୀ ଦୁଇଦିନ ମଧ୍ୟରେ ଏନେଇ ସବିଶେଷ ତଥ୍ୟ ପ୍ରଦାନ କରାଯିବ । ଆସନ୍ତା ୧୨ ତାରିଖରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପଡ଼ୁଥିବାରୁ ଏହାକୁ ନେଇ ସ୍ୱତନ୍ତ୍ର ଏସଓପି ଲାଗୁ କରାଯିବ । ଚଳିତ ବର୍ଷ ବିନା ଭକ୍ତରେ ରଥଯାତ୍ରା ଅନୁଷ୍ଠିତ ହେବାକୁ ଥିବାରୁ ରଥଯାତ୍ରାରେ ସାମିଲ ହେବାକୁ ଥିବା ସେବାୟତ, ପୋଲିସ ଓ ପ୍ରଶାସନିକ କର୍ମଚାରୀଙ୍କ କୋଭିଡ୍ ଟେଷ୍ଟ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।