Odia News Portal

ପୁଣି ଏହିସବୁ ଜିଲ୍ଲାରେ ୩ଦିନ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଗୁରୁବାର ସୁଦ୍ଧା ଲଘୁଚାପର ରୂପ ନେବା ସମ୍ଭାବନା ରହିଛି । ଏହା ସମୂଦ୍ର ପତନରୁ ୧.୫ କିମି ଯାଏ ବାୟୁ ମଣ୍ଡଳରେ ସକ୍ରିୟ ରହିଛି । ପ୍ରଭାବରେ ଓଡ଼ିଶା ସମେତ ଦକ୍ଷିଣ ଭାରତର ଏକାଧିକ ରାଜ୍ୟରେ ଲଗାଣ ବର୍ଷା ହେବା ସମ୍ଭାବନା ରହିଛି । ଲଘୁଚାପଟି ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଆନ୍ଧ୍ର-ତେଲେଙ୍ଗାନା ଉପକୂଳ ମୁହାଁ ହେବ । ଏହା ଗତିଶୀଳ ହେବା ପରେ ପ୍ରଭାବରେ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଳାଗୁଡ଼ିକରେ ଆସନ୍ତା ୩ ଦିନ ଯାଏଁ ବର୍ଷା ହେବା ସମ୍ଭାବନା ରହିଛି । ଗୁରୁବାର ରାଜ୍ୟର ସମସ୍ତ ଉପକୂଳବର୍ତ୍ତୀ ଜିଲ୍ଳାରେ ବିକ୍ଷିପ୍ତ ବର୍ଷା ସମ୍ଭାବନା ରହିଛି । କେବଳ ମାଲକାନାଗିରି ବ୍ୟତୀତ କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର ଓ ବାଲେଶ୍ୱର ଜିଲ୍ଲାରେ ବର୍ଷା ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

ସେହିପରି ୨୯ ତାରିଖ ଅର୍ଥାତ ଶୁକ୍ରବାର ମାଲକାନାଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଅନୂରୁପଭାବେ ଆସନ୍ତା ୩୦ ତାରିଖ ଶନିବାର ମାଲକାନାଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି ଓ ଗଞ୍ଜାମରେ ବର୍ଷା ହେବା ଆଶଙ୍କା ଥିବାବେଳେ ୩୧ ତାରିଖଠାରୁ ବର୍ଷାର ପରିମାଣ ସାମାନ୍ୟ କମିବ । ୩୧ ତାରିଖ ଦିନ ଦକ୍ଷିଣ ଓଡ଼ିଶା ଉପକୂଳର ୩ ଜିଲ୍ଲା; ମାଲକାନାଗିରି, କୋରାପୁଟ ଓ ରାୟଗଡ଼ାରେ ହାଲୁକା ବର୍ଷା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ ପ୍ରକାଶ ପାଇଛି । ସେପଟେ ଆକାଶରେ କଳାମେଘ ବଳୟ ଭରି ରହିଥିବାରୁ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ସାମାନ୍ୟ ବଢ଼ିଛି । ଗତ ସପ୍ତାହହେବ ଯେଉଁଠି ଦାରିଙ୍ଗିବାଡ଼ିରେ ପାରଦ ୧୨ରୁ ୧୩ ଡିଗ୍ରୀ ରହୁଥିଲା, ସେଠି ଗତ ୨୪ ଘଣ୍ଟାରେ ପାରଦ ୧୫ ଡିଗ୍ରୀକୁ ବୃଦ୍ଧିପାଇଛି । ସେହିପରି ଫୁଲବାଣୀରେ ପାରଦ ବଢ଼ି ୧୭ ଡିଗ୍ରୀରେ ପହଞ୍ଚିଛି ।

ପାଣିପାଗ ବିଜ୍ଞାନୀଙ୍କ ମତରେ ଯେପର୍ଯ୍ୟନ୍ତ ଆକାଶରେ ମେଘର ବଳୟ ରହିବ, ଶୀତର ପରିମାଣ ହ୍ରାସ ପାଇବ । ଆକାଶ ଶୁଖିଲା ହେବା ପରେ ପୁଣି ଶୀତ ପରିମାଣ ବୃଦ୍ଧିପାଇବ । ସୂଚନାଥାଉ କି, ସମଗ୍ର ଦେଶରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବିଦାୟ ନେଇଛି । ବର୍ଷା ପରିମାଣ କମିଥିବାବେଳେ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ସକାଶେ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବୃଷ୍ଟିପାତ ରେକର୍ଡ ହୋଇଛି । ବୁଧବାର ଅନୁଗୁଳ, ଜଗତସିଂହପୁର, ଯାଜପୁର, ମୟୂରଭଞ୍ଜ ଓ ଭଦ୍ରକ ଜିଲ୍ଲାରେ ପ୍ରାୟ ୧୦ ମିମି ବର୍ଷା ରେକର୍ଡ ହୋଇଥିବା ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକ ଏଚ୍‌. ଆର୍ ବିଶ୍ୱାସ କହିଛନ୍ତି । ଆସନ୍ତା ୪ରୁ ୫ ଦିନ ଯାଏଁ ରାଜ୍ୟ ପାଣିପାଗରେ କିଛି ବିଶେଷ ପରିବର୍ତ୍ତନ ହେବା ସମ୍ଭାବନା ନାହିଁ । ସେପଟେ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଘୂର୍ଣ୍ଣିବଳୟ ପ୍ରକ୍ରିୟା ଆସନ୍ତା ନଭେମ୍ବର ୧୮ ଯାଏ ଜାରି ରହିବ। ଫଳରେ ଉପକୂଳ ଅଞ୍ଚଳରେ ଶୀତର ପରିମାଣ ସାମୟିକ ଭାବେ ହ୍ରାସପାଇବ । ୧୮ ତାରିଖ ପରେ ଉପକୂଳ ଅଞ୍ଚଳରେ ଶୀତର ପ୍ରକୋପ ବୃଦ୍ଧିପାଇବ ବୋଲି ପାଣିପାଗ ବିଜ୍ଞାନୀ ମତ ରଖିଛନ୍ତି ।