Odia News Portal

ଟିଟିଲାଗଡ଼ରେ ଲଜ୍ଜା, ନାବାଳିକାକୁ ଦୁଷ୍କର୍ମ

ଟିଟିଲାଗଡ଼: ଆହାର କେନ୍ଦ୍ରର କର୍ମକର୍ତ୍ତାଙ୍କ ନାମରେ ଆସିଲା ସାଙ୍ଘାତିକ ଅଭିଯୋଗ | ସୀମା ଡେଇଁଲା ଅମାନବିକତା | କାମାନ୍ଧ ଆଗରେ ବଳି ପଡିଲା ମାନବିକତା | ଏମିତି ଏକ ସାଙ୍ଘାତିକ ଅଭିଯୋଗ ଆଜି ଟିଟିଲାଗଡ଼ରେ ଚର୍ଚ୍ଚାର ବିଷୟ ପାଲଟିଛି | ଠିକ ଭାବରେ କଥା କହି ପାରୁନଥିବା ଦିବ୍ୟାଙ୍ଗ ନାବାଳିକା ସହ ଦୁଷ୍କର୍ମ | ଯାହାଫଳରେ ନାବାଳିକା ଜଣକ ଏବେ ୪ ମାସର ଗର୍ଭବତୀ। ଏପରି ଲଜ୍ଜାଜନକ ଘଟଣା ଟିଟିଲାଗଡ଼ ଥାନା ଅଞ୍ଚଳରେ ଘଟିଛି । ନ୍ୟାୟ ପାଇଁ ନାବାଳିକାଙ୍କ ପରିବାର ଲୋକେ ଏବେ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ ପାଖରେ ଗୁହାରୀ କରିଛନ୍ତି।

ଠିକ୍‌ ଭାବେ କଥା କହିପାରୁନଥିବା ନାବାଳିକାଙ୍କ ସାନ ଭାଇ ୪ ମାସ ତଳେ ଟିଟିଲାଗଡ଼ ମେଡିକାଲ୍‌ରେ ଭର୍ତ୍ତି ହୋଇଥିଲେ। ମେଡିକାଲରେ ତାଙ୍କୁ ଦେଖାରଖା କରୁଥିଲେ ଭିନ୍ନକ୍ଷମ ନାବାଳିକା ଭଉଣୀ। ଏହି ସମୟରେ ଡାକ୍ତରଖାନା ସମ୍ମୁଖରେ ରହିଥିବା ଆହାର କେନ୍ଦ୍ରର ଜଣେ ଯୁବକ ଖାଇବା ନେଇ ଦେବା ସହ ରାତିରେ ନାବାଳିକାକୁ ଶୌଚାଳୟକୁ ଟେକି ନେଇ ଦୁଷ୍କର୍ମ କରିଥିଲେ। ଏ ସମ୍ପର୍କରେ କାହାକୁ କହିଲେ ମାରିଦେବାକୁ ଧମକ ମଧ୍ୟ ଦେଇଥିଲା ଅଭିଯୁକ୍ତ ଯୁବକ। ତେଣୁ ଭୟରେ ନାବାଳିକା ଜଣକ ଘଟଣା ସମ୍ପର୍କରେ କାହାକୁ ଜଣାଇ ନଥିଲେ। ୪ ମାସ ପରେ ନାବାଳିକା ଜଣକ ହଠାତ୍‌ ଅସୁସ୍ଥ ହୋଇପଡ଼ିଲେ। ବାରମ୍ୱାର ବାନ୍ତି କରିବାରୁ ପରିବାର ଲୋକେ ତାଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ଡାକ୍ତର ଚେକ୍‌ଅପ୍‌ କରିବା ପରେ ନାବାଳିକା ୪ ମାସର ଗର୍ଭବତୀ ଥିବା ଘଟଣା ଜଣାପଡ଼ିଥିଲା । ଏହା ପରେ ପରିବାର ଲୋକେ ଝିଅକୁ ଘଟଣା ସମ୍ପର୍କରେ ପଚାରିଥିଲେ। ଝିଅ ପୂରା ଘଟଣା କହିଥିଲା।

ପୀଡିତା ଠାରୁ ସବୁ ଘଟଣା ଜାଣିବା ପରେ ନିଜ ଦିବ୍ୟାଙ୍ଗ ଝିଅ କୁ ଧରି ନ୍ୟାୟ ପାଇଁ ଟିଟିଲାଗଡ଼ ଉପଜିଲ୍ଲାପାଳ ଅଫିସ ଆସିଥିଲେ ପରିବାର ଲୋକ | ହେଲେ ଉପଜିଲ୍ଲାପାଳଙ୍କୁ ଦେଖା ନକରି ପାରି ତାଙ୍କ ଅଫିସରେ ଏକ ଲିଖିତ ଅଭିଯୋଗ କରିଛନ୍ତି | ଏହି ଘଟଣାରେ ଅଭିଯୁକ୍ତ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ପରିବାର ପକ୍ଷରୁ ଦାବି କରାଯାଇଛି |