Odia News Portal

ଶ୍ରେଷ୍ଠ ଖେଳାଳୀ ଦୌଡରେ ଭାରତୀୟ ମହିଳା କ୍ରିକେଟର ରିଚା

ଭାରତୀୟ ୱିକେଟ୍‌ରକ୍ଷକ-ବ୍ୟାଟର ରିଚା ଘୋଷ ଚଳିତ ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଦୌଡ଼ରେ ସାମିଲ ହୋଇଛନ୍ତି। ଭାରତ ସେମିଫାଇନାଲ୍‌ରେ ପରାଜୟ ସହ ବିଦାୟ ନେଇଥିଲା ବେଳେ ରିଚା କିନ୍ତୁ ୬୮ ହାରରେ ୧୬୮ ରନ୍‌ କରିଥିଲେ। ଇଂଲଣ୍ଡଠୁ ମାତ୍ର ୫ ରନ୍‌ରେ ଦଳ ହାରିଯାଇଥିଲେ ମଧ୍ୟ ୧୯ ବର୍ଷ ବୟସ୍କା ରିଚା ଚଳିତ ବିଶ୍ବକପ୍‌ରେ ଫିନିସର ଭୂମିକାକୁ ସଠିକ୍‌ ଭା‌ବେ ତୁଲାଇଥିଲେ। ସେ ଦୁଇଟି ମ୍ୟାଚ୍‌ରେ ୪୦+ ସ୍କୋର୍‌ କରିଥିଲା ବେଳେ ଇଂଲଣ୍ଡ ବିପକ୍ଷରେ ଅପରାଜିତ ୪୭ ରନ୍‌ କରିଥିଲେ। ସେ ମଧ୍ୟ ଭାରତ ଖେଳିଥିବା ୫ ପାଳିରେ ମାତ୍ର ଦୁଇଥର ଆଉଟ୍‌ ହୋଇଥିଲା ବେଳେ ୧୩୦ରୁ ଅଧିକ ଷ୍ଟ୍ରାଇକ ରେଟ୍‌ରେ ସ୍କୋର୍‌ କରିଥିଲେ। ଷ୍ଟମ୍ପ୍‌ ପଛରେ ସେ ଇଂଲଣ୍ଡ ଓପ୍‌ନର ଡାନି ୱାଟ୍‌ଙ୍କୁ ଆଉଟ୍‌ କରିବା ଆକର୍ଷଣୀୟ ଥିଲା। ଫଳରେ ଏହି ଦୌଡ଼ରେ ଥିବା ୯ ଜଣଙ୍କ ମଧ୍ୟରେ ରିଚା ଏକମାତ୍ର ଭାରତୀୟ ରହିଛନ୍ତି।

ଅନ୍ୟ ୮ ଜଣଙ୍କ ମଧ୍ୟରେ ଗତଥର ବିଜେତା ଅଷ୍ଟ୍ରେଲିଆର ୩ ଜଣ, ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକାର ୨ ଜଣ ଲେଖାଏଁ ଏବଂ ୱେଷ୍ଟଇଣ୍ଡିଜ୍‌ର ଜଣେ ରହିଛନ୍ତି। ଅଷ୍ଟ୍ରେଲିଆ ଅଧିନାୟିକା ମେଗ୍‌ ଲାନିଂ (୧୩୯ ରନ୍‌, ୬୯.୫୦ ହାରାହାରି), ୱିକେଟ୍‌ରକ୍ଷକ ବ୍ୟାଟର୍‌ ଆଲିସା ହିଲେ (୧୭୧ ରନ୍‌, ୫୭ ହାରାହାରି) ଓ ଅଲ୍‌ରାଉଣ୍ଡର ଆସ୍‌ଲେ ଗାର୍ଡନର (୮୧ ରନ୍‌, ୯ ୱିକେଟ୍‌), ଇଂଲଣ୍ଡ ଅଲ୍‌ରାଉଣ୍ଡର ନାଟ୍‌ ଶ୍ଚିଭର ବ୍ରଣ୍ଟ୍‌ (୨୧୬ ରନ୍‌, ୭୨ ହାରାହାରି) ଓ ସ୍ପିନର ସୋଫି ଏସ୍‌ଲେଷ୍ଟୋନ (୧୧ ୱିକେଟ୍‌, ୪.୧୫ ଇକୋନୋମୀ), ଦକ୍ଷିଣ ଆଫ୍ରିକାର ଲୌରା ଉଲ୍‌ଭର୍ଟ ଓ ତାମିନ ବ୍ରିଟ୍‌ସ ଏବଂ ୱେଷ୍ଟଇଣ୍ଡିଜ୍‌ ଅଧିନାୟିକା ହେଲେ ମାଥ୍ୟୁସ୍‌ (୧୩୦ ରନ୍‌, ୪ ୱିକେଟ୍‌) ଦୌଡ଼ରେ ସାମିଲ ଅଛନ୍ତି।