Odia News Portal

ପୁଣି ଆରବିଆଇ ଗଭର୍ଣ୍ଣର ପଦ ବଜାୟ ରଖିଲେ ଶକ୍ତିକାନ୍ତ ଦାସ

ନୂଆଦିଲ୍ଲୀ : ଆରବିଆଇ ଗଭର୍ଣ୍ଣର୍ ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ୩ ବର୍ଷ ବଢ଼ିଛି । ଆଗାମୀ ଡିସେମ୍ବର ୧୦ ତାରିଖ ଠାରୁ ଏହି ପୁନଃନିଯୁକ୍ତି ଲାଗୁ ହେବ। ଏହି ପଦବୀରେ ସେ ନିର୍ଦ୍ଧାରିତ ସମୟସୀମା କିମ୍ବା ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ କାର୍ଯ୍ୟ କରିବେ। ଏକ ବିବୃତ୍ତିରେ କୁହାଯାଇଛି ଯେ, କ୍ୟାବିନେଟର ନିଯୁକ୍ତି କମିଟି ଶକ୍ତିକାନ୍ତ ଦାସଙ୍କୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗଭର୍ଣ୍ଣର ଭାବରେ ୧୦.୧୨.୨୨୦୨୧ ଠାରୁ ତିନି ବର୍ଷ ପର୍ଯ୍ୟନ୍ତ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ପୁନଃ ନିଯୁକ୍ତିକୁ ଅନୁମୋଦନ କରିଛି।

ବିଳମ୍ବିତ ଗୁରୁବାର ଦିନ କ୍ୟାବିନେଟ୍‌ର ‘ଆପଏଣ୍ଟ୍‌ମେଣ୍ଟ୍‌ସ୍‌ କମିଟି’ ଉପରୋକ୍ତ ନିଷ୍ପତ୍ତିକୁ ଅନୁମୋଦନ ଦେଇଛି। ପୂର୍ବରୁ ଅର୍ଥ ମନ୍ତ୍ରାଳୟର ଅର୍ଥନୈତିକ ବ୍ୟାପାରରର ସଚିବ ଥିବା ଦାସ ୨୦୧୮ ଡିସେମ୍ବର ୧୧ରୁ କେନ୍ଦ୍ରୀୟ ବ୍ୟାଙ୍କ୍‌ର (ରିଜର୍ଭ ବ୍ୟାଙ୍କ୍‌) ମୁଖ୍ୟ ଭାବେ ୩ ବର୍ଷ ପାଇଁ ନିଯୁକ୍ତି ପାଇଥିଲେ।

ସୂଚନା ଯୋଗ୍ୟ ବିଭିନ୍ନ ପ୍ରଶାସନିକ କ୍ଷେତ୍ରରେ ବ୍ୟାପକ ଅଭିଜ୍ଞତା ଥିବା ୬୪ ବର୍ଷିୟ ଶକ୍ତିକାନ୍ତ ଦାସ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କରେ ଆର୍ଥିକ, ଟିକସ, ଶିଳ୍ପ, ଭିତ୍ତିଭୂମି ଆଦି ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଥିଲେ। ସେଣ୍ଟ୍‌ ଷ୍ଟିଫେନ୍‌ କଲେଜ୍‌, ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ସେ ସ୍ନାତକତ୍ତୋର ଡିଗ୍ରି ହାସଲ କରିଛନ୍ତି।