Odia News Portal

ମହାରଥୀଙ୍କ ପରିବାରରୁ ଜଣକୁ ଟିକେଟ ମିଳୁ: ମନ୍ତ୍ରୀ

ମହାରଥୀଙ୍କ ପରିବାରରୁ କାହାରିକୁ ପ୍ରାର୍ଥୀ କରିବା ପାଇଁ କହିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, “ମହାରଥୀଙ୍କ ଅବଦାନ ତଥା ତାଙ୍କ ଅନୁପସ୍ଥିତିକୁ ଅନୁଭବ କରୁଛନ୍ତି ପିପିଲି ନିର୍ବାଚନମଣ୍ଡଳୀ ଲୋକେ । ପିପିଲି ଭୋଟର ମହାରଥୀଙ୍କ ପରିବାରକୁ ଚାହୁଁଛନ୍ତି । ତେଣୁ ମହାରଥୀଙ୍କ ପରିବାରରୁ ଜଣକୁ ଟିକେଟ ମିଳୁ ।” ପିପିଲି ଉପ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇନାହିଁ । ହେଲେ ପିପିଲି ଗଡ ରକ୍ଷା ପାଇଁ ପୂର୍ଣ୍ଣ ପ୍ରସ୍ତୁତି ଆରମ୍ଭ କରିଦେଇଛି ଶାସକ ବିଜୁ ଜନତା ଦଳ । ତେବେ ଦଳ ଏଠାରୁ କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ସସପେନ୍ସ ରହିଛି ।

ଆଜି ଗଣମାଧ୍ୟମକୁ ଏ ବିଷୟରେ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି, ପିପିଲି ମୋ ପାଖ ନିର୍ବାଚନ ମଣ୍ଡଳୀ ହୋଇଥିବାରୁ ମୁଁ ବୁଲାବୁଲି କରୁଛି । ପିପିଲି ଲୋକଙ୍କ ଇଚ୍ଛା ମହାରଥୀଙ୍କ ପରିବାରରୁ କେହି ପ୍ରାର୍ଥୀ ହୁଅନ୍ତୁ। କାରଣ ତାଙ୍କ ସମୟରେ ପିପିଲିର ବେଶ୍‌ ବିକାଶ ହୋଇଥିଲା। ତେବେ ଏ ସଂପର୍କରେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ।ସେପଟେ ପିପିଲି ଉପନିର୍ବାଚନ ପାଇଁ ବିଜେପି ମଧ୍ୟ ପ୍ରସ୍ତୁତ ଥିବା କହିଛନ୍ତି ଦଳର ଉପନେତା ବିଷ୍ଣୁ ସେଠୀ ।