Odia News Portal

ଚନ୍ଦ୍ରଭାଗାରେ ୧୪୪ ଧାରା ଜାରି

ପୁରୀ: ଚନ୍ଦ୍ରଭାଗା ମେଳା ପଡିଆରେ ୧୪୪ ଧାରା ଜାରି । ମାଘମେଳାରେ ଜନ ସମାଗମକୁ ଦୃଷ୍ଟିରେ ରଖି ଚନ୍ଦ୍ରଭାଗା ମେଳା ପଡ଼ିଆରେ ୧୪୪ ଧାରା ଜାରି କରାଯାଇଛି। ଚଳିତ ବର୍ଷ କୋଭିଡ୍‌ କଟକଣା ମଧ୍ୟରେ ଅନୁଷ୍ଠିତ ହେବ ଚନ୍ଦ୍ରଭାଗା ମାଘ ମେଳା । ଜନ ସମାଗମରୁ କରୋନା ବ୍ୟାପିବାର ଆଶଙ୍କା ଥିବାରୁ କୋଣାର୍କ ଥାନା ଅଧିନସ୍ଥ ଚନ୍ଦ୍ରଭାଗା ମେଳା ପଡିଆରେ ୧୪୪ ଧାରା ଜାରି କରାଯାଇଛି । ଆସନ୍ତା ୧୮ ତାରିଖ ପୂର୍ବାହ୍ନ ୧୧ଟାରୁ ୧୯ ତାରିଖ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ଏହି ଧାରା ବଳବତ୍ତର ରହିବ । ଜିଲ୍ଲା ପ୍ରଶାସନ ପକ୍ଷରୁ ଉପ-ଜିଲ୍ଲାପାଳ ଭବତାରଣ ସାହୁ ୧୪୪ ଧାରା ଜାରି କରିଛନ୍ତି।

ଏହି ସମୟ ମଧ୍ୟରେ ଜନସାଧାରଣଙ୍କ ଚନ୍ଦ୍ରଭାଗାରେ ବୁଡ଼ ପକାଇବା ଏବଂ ପହିଲି ସୂର୍ଯ୍ୟ ଦର୍ଶନ ଉପରେ କଟକଣା ଜାରି ରହିବ । ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ ପକ୍ଷରୁ ଗତ ୩୦ ତାରିଖରେ ଜାରି ନିର୍ଦ୍ଦେଶନାମା ଅନୁଯାୟୀ କେବଳ ସର୍ବାଧିକ ପାଞ୍ଚ ଶହ ବ୍ୟକ୍ତିଙ୍କ ଉପସ୍ଥିତିରେ ଠାକୁରଙ୍କ ଯଥାବିଧି ପୂଜାର୍ଚ୍ଚନା ସହ ଚନ୍ଦଭାଗା ବୁଡ଼ ସମ୍ପର୍ଣ୍ଣ ହେବ । ଏଥିରେ ସଂପୃକ୍ତ ସେବାୟତ, ବିମାନ ଯାତ୍ରାରେ ସାମିଲ ସହାୟକ, ସରକାରୀ ଅଧିକାରୀ ଓ କର୍ମଚାରୀ, ସ୍ଥାନୀୟ ସାମ୍ବାଦିକ ସାମିଲ ରହିବେ। ଏଥିରେ ସହଯୋଗ କରିବାକୁ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି। ଏହି କଟକଣାର ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ଆଇନ୍‌ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।