Odia News Portal

ଜାଲିଆତି ମାମଲାରେ ବରିଷ୍ଠ କିରାଣି ନିଲମ୍ବିତ

ମାଲକାନାଗିରି: ଜାଲ ଜାତିଗତ ପ୍ରମାଣ ପତ୍ର ଦେଇ ଚାକିରୀରୁ ନିଲମ୍ବିତ ହେଲେ ବରିଷ୍ଠ କିରାଣି ଲକ୍ଷ୍ମୀପ୍ରିୟା ବେହେରା । ମାଲକାନାଗିରି କଲ୍ୟାଣ ବିଭାଗରେ କାର୍ଯ୍ୟରତ ଥିଲେ ଲକ୍ଷ୍ମୀପ୍ରିୟା । ଦକ୍ଷୀଣାଂଚଳ ରାଜସ୍ୱ କମିଶନଙ୍କ ନିର୍ଦ୍ଦେଶ ପରେ ୨୪ ବର୍ଷ ତଳେ ହୋଇଥିବା ଜାଲିଆତି ସାମ୍ନାକୁ ଆସିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଅଧିକ ଯାଂଚ ଚାଲିଥିବା ବେଳେ ଜିଲ୍ଲାରେ ଏଭଳି ଆହୁରି କିଛି ଜଣ ଜାଲ କାଗଜପତ୍ର ଦେଇ ନିଯୁକ୍ତି ପାଇଥିବା ଅଭିଯୋଗ ହୋଇଛି ।

ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ ଠାରେ ଲକ୍ଷ୍ମୀପ୍ରିୟାଙ୍କ ବିରୋଧରେ ଅଭିଯୋଗ ହେବା ପରେ ଆଦିବାସୀ ଉନ୍ନୟନ ବିଭାଗ ପକ୍ଷରୁ ଏହାର ଖୋଳତାଡ଼ କରାଯାଇଥିଲା। ତଦନ୍ତରୁ ଜଣାପଡ଼ିଥିଲା ଯେ ଲକ୍ଷ୍ମୀପ୍ରିୟା ଏସ୍‌ଇବିସି ବର୍ଗର ହୋଇଥିବା ବେଳେ ଜଣେ ଅନୁସୂଚିତ ଜନଜାତିର ବ୍ୟକ୍ତିଙ୍କୁ ବିବାହ କରିଛନ୍ତି। ବିବାହ ପରେ ସେ ନିଜ ପ୍ରକୃତ ଜାତିକୁ ଲୁଚାଇ ସ୍ୱାମୀଙ୍କ ଜାତି ଆଧାରରେ ନିଜର ନୂଆ ଜାତି ପ୍ରମାଣପତ୍ର ପାଇଁ ଆବେଦନ କରିଥିଲେ। ତତ୍‌କାଳୀନ ଜୁନାଗଡ଼ ତହସିଲଦାର ମଧ୍ୟ ବିନା ଯାଞ୍ଚରେ ତାଙ୍କୁ ଅନୁସୂଚିତ ଜନଜାତି ବୋଲି ଦର୍ଶାଇ ପ୍ରମାଣପତ୍ର ପ୍ରଦାନ କରିଥିଲେ। ଏହି ପ୍ରମାଣପତ୍ର ଦାଖଲ କରି ସଂରକ୍ଷଣ ବର୍ଗରେ ଲକ୍ଷ୍ମୀପ୍ରିୟା ନିଯୁକ୍ତି ପାଇଥିଲେ। କନିଷ୍ଠ କିରାଣୀରୁ ଚାକିରି ଆରମ୍ଭ କରିଥିବା ଲକ୍ଷ୍ମୀପ୍ରିୟା ପଦୋନ୍ନତି ପାଇ ବରିଷ୍ଠ କିରାଣି ହୋଇଯାଇଥିଲେ।

ତେବେ ଏନେଇ ମାଲକାନାଗିରି ଜିଲ୍ଲାପାଳ ଜାଣିବା ପରେ ଲକ୍ଷ୍ମୀପ୍ରିୟାଙ୍କୁ ବହିଷ୍କୃତ କରିଛନ୍ତି । ଏଥିସହ ଚାକିରୀ କାଳରେ ସେ ଦରମା ବାବଦରେ ନେଇଥିବା ଟଙ୍କା ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତତ୍କାଳୀନ ଜୁନାଗଡ଼ ତହସିଲଦାର କେଉଁ ଆଧାରରେ ଆଦିବାସୀ ପ୍ରମାଣପତ୍ର ପ୍ରଦାନ କଲେ ତାହାର ତଦନ୍ତ କରିବାକୁ କଳାହାଣ୍ଡି ଜିଲ୍ଲାପାଳଙ୍କୁ ପତ୍ର ଲେଖାଯାଇଛି ।