Odia News Portal

ସ୍ପାନିସ ପାରା ବ୍ୟାଡମିଣ୍ଟନ; ପ୍ରିକ୍ୱାଟରରେ ଓଡିଆ ପୁଅ ପ୍ରମୋଦ ଓ ଦିଲେଶ୍ୱର

ସ୍ପେନ୍‌ର ଭିଟୋରିଆରେ ଚାଲିଥିବା ସ୍ପାନିସ୍‌ ପାରା ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାର ପୁରୁଷ ଏକକ ପ୍ରିକ୍ବାର୍ଟରରେ ଅଲିମ୍ପିକ୍‌ ବିଜେତା ଓଡ଼ିଆ ପୁଅ ପ୍ରମୋଦ ଭଗତ ଓ ଦିଲେଶ୍ବର ରାଓ ପ୍ରବେଶ କରିଛନ୍ତି। ବୁଧବାର ଶେ‌ଷ ଗ୍ରୁପ୍‌ ମ୍ୟାଚ୍‌ରେ ପ୍ରମୋଦ ୨୧-୭, ୨୧-୬ରେ ସ୍ପେନ୍‌ର ଜାମି ପୋଲୋଙ୍କୁ ହରାଇଥିଲେ। ପୂର୍ବରୁ ପ୍ରଥମ ୨ ମ୍ୟାଚ୍‌ ଜିତିଥିବା ପ୍ରମୋଦ ଏଥି ସହିତ ଗ୍ରୁପ୍‌ ବିଜେତା ହୋଇ ପ୍ରିକ୍ବାର୍ଟର ସ୍ଥାନ ପକ୍କା କରିଥିଲେ। ସେହିପରି ଦିଲେଶ୍ବର ୩ଟି ଗ୍ରୁପ୍‌ ମ୍ୟାଚ୍‌ରୁ ୨ ବିଜୟ ଓ ୧ ପରାଜୟ ସହ ଏହି ସ୍ଥାନରେ ପହଞ୍ଚିଛନ୍ତି।

ପ୍ରଥମ ମ୍ୟାଚ୍‌ରେ ଦିଲେଶ୍ବର ୧୧-୨୧, ୬-୨୧ରେ ନିଜ ଦେଶର ନିତେଶ କୁମାରଙ୍କଠୁ ହାରିଯାଇଥିଲା ବେଳେ ପରବର୍ତୀ ମ୍ୟାଚ୍‌‌ ଦୁଇଟିରେ ଯଥାକ୍ରମେ ସ୍ବିଜରଲାଣ୍ଡର ମୌରିନ ଷ୍ଟୁବିଙ୍କୁ ୨୧-୧୦, ୨୧-୧୪ରେ ଏବଂ ସ୍ପେନ୍‌ର ଆଣ୍ଟୋନିଆ କାଷ୍ଟିଲୋଙ୍କୁ ୨୧-୯, ୨୧-୨ରେ ହରାଇଥିଲେ। କିନ୍ତୁ ଯୁଗଳରେ ଦିଲେଶ୍ବର ସମସ୍ତ ଗ୍ରୁପ୍‌ ମ୍ୟାଚ୍‌ ହାରିଯାଇଥିଲେ। ତେବେ ଅନ୍ୟ ଦୁଇ ଓଡ଼ିଆ ଦୀପ ରଂଜନ ବିଶୋଇ ଓ ଶୁଭ୍ରଜିତ୍ ମହାରଣା ଗୁରୁବାର ଗୋଟିଏ ଗୋଟିଏ ଯୁଗଳ ମ୍ୟାଚ୍‌ରେ ବିଜୟ ଲାଭ କରିଥିଲେ।