Odia News Portal

ବାତ୍ୟା ପରିସ୍ଥିତି ନେଇ ଏମିତି କହିଲେ ଏସଆରସି

ଭୁବନେଶ୍ୱର: ଆସୁଛି ବାତ୍ୟା । ସବୁଠି ଚର୍ଚ୍ଚା । ସମ୍ଭାବ୍ୟ ବାତ୍ୟା ନେଇ ଏସଆରସି ପ୍ରଦୀପ ଜେନା ପ୍ରେସ ମିଟ୍ କରି ସୂଚନା ଦେଇଛନ୍ତି ଯେ, ଆଗାମୀ ୬ ଘଣ୍ଟାରେ ବାତ୍ୟାରେ ପରିଣତ ହେବ ଗଭୀର ଅବପାତ । କାଲି ସଂଧ୍ୟାରେ ଗୋପାଳପୁର-ବିଶାଖାପାଟଣା ମଧ୍ୟରେ ଥିବା କଳିଙ୍ଗପାଟନମରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା । ସେତେବେଳେ ପବନର ବେଗ ୯୦ରୁ ୧୦୦ କିଲୋମିଟର ରହିବା ଆଶଙ୍କା କରାଯାଉଛି । ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଗଞ୍ଜାମ, ଗଜପତି, ରାୟଗଡା, କନ୍ଧମାଳ, କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଆଜି ସଂଧ୍ୟା ପରେ ଉପକୂଳର କିଛି ସ୍ଥାନରେ ବର୍ଷା ଆରମ୍ଭ ହେବ । ୨୬ ଓ ୨୭ ତାରିଖରେ ଦକ୍ଷିଣ ଓଡିଶାର ଉପକୂଳ ଅଂଚଳରେ ପ୍ରବଳ ବର୍ଷା ହେବ ବୋଲି ଏସଆରସି ପ୍ରଦୀପ ଜେନା ପ୍ରେସମିଟ୍ରେ ସୂଚନା ଦେଇଛନ୍ତି ।

ରେଡ୍ ୱାର୍ଣ୍ଣିଂ ଦିଆଯାଇଥିବା ୭ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ବାତ୍ୟା ମୁକାବିଲା ପ୍ରସ୍ତୁତି ସଂପର୍କରେ ଆଲୋଚନା କରାଯାଇଛି । ଋଷିକୂଲ୍ୟା ଓ ନାଗାବଳୀ ନଦୀରେ ବନ୍ୟା ଆଶଙ୍କା ରହିଛି । ଗଜପତି, ରାୟଗଡା ଜିଲ୍ଲାରେ ଭୂସ୍ଖଳନ ପାଇଁ ସତର୍କ ସୂଚନା ଦିଆଯାଇଛି । ଖାଲୁଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତରିତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଏସଆରସି ସୂଚନା ଦେଇଛନ୍ତି ।