Odia News Portal

ତେଲ ଦର ନକମିଲେ୧୫ରେ ଓଡ଼ିଶା ବନ୍ଦ

ବ୍ରହ୍ମପୁର: ପେଟ୍ରୋଲ ଓ ଡିଜେଲ୍‌ ଦର ଦିନ କୁ ଦିନ ବଢ଼ି ଚାଲିଛି। ତେବେ ତେଲ ଦର ନକମିଲେ ଆସନ୍ତା ୧୫ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦିଆଯିବା କଥା କହିଛି କଂଗ୍ରେସ । ବ୍ରହ୍ମପୁରରେ ଆୟୋଜିତ ସହିଦ୍‌ ଦିବସ ଅବସରରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଏପରି ଚେତାବନୀ ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

ବିଜେଡିକୁ ତାତ୍ସଲ୍ୟ କରି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ରାଜ୍ୟରେ ବିଜୁ ଜନତା ଦଳ ସରକାର ନୁହେଁ, ବିଚିତ୍ର ଜନତା ଦଳ ସରକାର ଚାଲିଛି। ୨୦ ବର୍ଷ ଶାସନରେ ରାଜ୍ୟରେ କିଛି ଉନ୍ନତି ହୋଇ ନଥିବା ବେଳେ ଗଞ୍ଜାମ ଜିଲ୍ଲାରେ ଗୋଟିଏ ମଧ୍ୟ କଳକାରଖାନା ପ୍ରତିଷ୍ଠା ହୋଇପାରିନି। ଯାହା ବି ହୋଇଛି ତାହା କଂଗ୍ରେସ ଅମଳରେ ହୋଇଛି। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ଅବରସରେ ବ୍ରହ୍ମପୁର ଖଲିକୋଟ କଲେଜ ପଡ଼ିଆରେ କଂଗ୍ରେସ ପାଳନ କରିଛି ସହିଦ ଦିବସ। ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ କଂଗ୍ରେସ ପ୍ରଭାରୀ ଡ. ଚେଲ୍ଲା କୁମାର ଯୋଗଦେଇଛନ୍ତି। ସେ କହିଛନ୍ତି, “ଦୀର୍ଘ ବର୍ଷ ଧରି ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲାରୁ ପ୍ରତିନିଧିତ୍ଵ କରିଆସୁଛନ୍ତି । ଏହା ସତ୍ତ୍ୱେ ଏହି ଜିଲ୍ଲାର ଉନ୍ନତି ହୋଇ ନାହିଁ। ଆଜି ଯେତିକି ଜଳ ପ୍ରକଳ୍ପ ହୋଇଛି, ତାହା କଂଗ୍ରେସ ଅମଳରେ ହୋଇଥିଲା। ଗୋପାଳପୁର ଟାଟା କିମ୍ବା ଗୋପାଳପୁର ବନ୍ଦର ମଧ୍ୟ କଂଗ୍ରେସ ଅମଳରେ ହୋଇଥିଲା।” ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।