Odia News Portal

ୟୁପି ସରକାରଙ୍କ ଉପରେ ସୁପ୍ରିମକୋର୍ଟ ଖପ୍ପା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଲଖିମପୁର ହିଂସା ନେଇ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଆଉ ଉତ୍ତର ପ୍ରଦେଶ ସରକାରଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ। ରାଜ୍ୟ ସରକାରଙ୍କ ପଦକ୍ଷେପ ଯଥେଷ୍ଟ ନୁହେଁ ବୋଲି ସଫା ସଫା କହିଛନ୍ତି କୋର୍ଟ। ଏହାସହ ଏଯାଏ କାହିଁକି ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇନି ବୋଲି ପ୍ରଶ୍ନ ପଚାରିଲେ କୋର୍ଟ। କେବଳ ଏତିକି ନୁହେଁ ବରଂ ଘଟଣାର ତଦନ୍ତ ସନ୍ତୋଷଜନକ ନୁହେଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ।

ଏହାସହ ଘଟଣାର ତଦନ୍ତ ପାଇଁ ଅନ୍ୟ କୌଣସି ସଂସ୍ଥାକୁ ତଦନ୍ତ ଦାୟିତ୍ୱ ଦେବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ। ଅନ୍ୟ ସଂସ୍ଥା ତଦନ୍ତ ଦାୟିତ୍ୱ ନେବା ଯାଏ ସାକ୍ଷ୍ୟ, ଦସ୍ତାବିଜ ସଂରକ୍ଷଣ କରିବାକୁ କହିବା ସହ ସାକ୍ଷ୍ୟ ପ୍ରମାଣ, ଦସ୍ତାବିଜର ଉଚିତ ସଂରକ୍ଷଣ ନେଇ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଏନେଇ ରାଜ୍ୟ ସରକାର ତାଙ୍କ ଡିଜିପିଙ୍କୁ ନିର୍ଦ୍ଦେଶ କରନ୍ତୁ ବୋଲି କୋର୍ଟ ଶୁଣାଣିରେ କହିଛନ୍ତି।