ବନ୍ୟା ଛାଡିଗଲା ସତ, କିନ୍ତୁ ପଛରେ ଛାଡିଗଲା ଦୁର୍ଦଶାର ଦୀର୍ଘ କାହାଣୀ। ହୀରାକୁଦ ର ଗେଟ ଖୋଲିବା ପରେ ମହାନଦୀ ଫୁଲି ଉଠିଥିଲା। ସେହି ପାଣିର ପ୍ରଭାବ ଶାଖା ଦେବୀ ନଦୀ ଦେଇ ପ୍ରଭାହିତ ଦେବୀ ନଦୀ ପର୍ଯ୍ୟନ୍ତ ପହଞ୍ଚିଥିଲା। ଫଳରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ର ଦେବୀ ନଦୀ ପାର୍ଶ୍ୱବର୍ତ୍ତୀ ଗାଁ ଖଣ୍ଡାସାହି, ଓସ୍ତପୁର ଆଉ ଓସିଆ ଗାଁ ର ଅନେକ ଚାଷୀ ନଦୀ ବନ୍ଦ ନିକଟରେ କରିଥିବା ଚାଷ ପାଣିରେ ବୁଡି ଯାଇଥିଲା।
ହେକ୍ଟର ହେକ୍ଟର ପନିପରିବା ଚାଷ ଜମି ଥିଲା ଚାଷୀଙ୍କ ଆଶାର ଠିକଣା। ଭେଣ୍ଡି, କଲରା, ପୋଟଳ, ବାଇଗଣ, କଞ୍ଚା ଲଙ୍କା ଆଉ କଖାରୁ ଚାଷରେ ଲକ୍ଷ ଲକ୍ଷ ଟଙ୍କା ଲଗାଇଥିଲେ ଚାଷୀ। କିନ୍ତୁ ଗୋଟେ ରାତିର ବନ୍ୟା ସବୁ ସପନ ଭସାଇ ନେଲା। ପାଣି ଛାଡିବା ପରେ ଏବେ ଯାହା ଦେଖାଯାଉଛି ତାହା କେବଳ କାଦୁଅ ଆଉ ପଚା ପନିପରିବାର ସମାଧି। କ୍ଷେତ ସାରା କାଦୁଅରେ ପଚି ଯାଇଛି ପନିପରିବା ଚାଷ। ଗଛ ଗୁଡିକ ସୁବ ପଚିକି ନଷ୍ଟ ହୋଇଯାଇଛି ।
ଗୋଟେ ପଟେ ଫସଲ ନଷ୍ଟ, ଅନ୍ୟ ପଟେ ମହାଜନ ଆଉ ବ୍ୟାଙ୍କ ର ଋଣ ବୋଝ। ବିହନ, ସାର, ଔଷଧ ଆଉ ଶ୍ରମିକ ଖର୍ଚ ପାଇଁ ନେଇଥିବା ଋଣ ସୁଝିବ କେମିତି ସେଇ ଚିନ୍ତା ଏବେ ଚାଷୀଙ୍କୁ ଘାରିଛି ।ଅନେକ ଚାଷୀ କହୁଛନ୍ତି ଆମର ସବୁ ପୁଞ୍ଜି ଏଇ ଫସଲ ରେ ଲାଗିଥିଲା।
ସରକାରୀ ସହାୟତା ଆଉ କ୍ଷତିପୂରଣ ଦାବି କରି ଚାଷୀ ମାନେ ଆଜି ବ୍ଲକ ଅଫିସ ଆଗରେ ପହଞ୍ଚିଥିଲେ। ସେମାନଙ୍କ ଦାବି ତୁରନ୍ତ ସର୍ଭେ କରାଯାଉ ଆଉ ପ୍ରକୃତ କ୍ଷତିଗ୍ରସ୍ତ ଚାଷୀଙ୍କୁ ସ୍ପେସିଆଲ ପ୍ୟାକେଜ ଦିଆଯାଉ। ନହେଲେ ଅସ୍ତରଙ୍ଗ ର ଏଇ ସବୁଜ ଅଂଚଳ ଆଉ କେବେ ଉଠି ପାରିବ ନାହିଁ। ବନ୍ୟା ଛାଡିଛି, କିନ୍ତୁ ଚାଷୀର ଆଖିରୁ ଲୁହ ଛାଡୁନି।
