Odia News Portal

ଆଜି ବଡ଼ ଦେଉଳରେ ରାଧାଷ୍ଟମୀ ପର୍ବ

ପୁରୀ: ଶ୍ରୀକ୍ଷେତ୍ରରେ ସବୁଦିନ ପର୍ବ । ମହାପ୍ରଭୁଙ୍କ ପ୍ରତିଦିନ ରହୁଛି ନୂଆ ନୂଆ ନୀତି । ନଗର ପରିକ୍ରମା କରି ଶ୍ରୀଜମ୍ୱେଶ୍ୱରଙ୍କ ମନ୍ଦିରରେ ଶ୍ରୀସୁଦର୍ଶନ ମହାପ୍ରଭୁ ବିଜେ କରିବେ। ଶ୍ରୀଜମ୍ବେଶ୍ୱର ଠାକୁରେ ଦେବେ ବଡ଼ଦେଉଳ ଆୟବ୍ୟୟର ହିସାବ । ପରମ୍ପରା ଅନୁଯାୟୀ ଜମ୍ବେଶ୍ୱର ମହାଦେବଙ୍କ ପକ୍ଷରୁ ଜଣେ ପୂଜାପଣ୍ଡା ସାମନ୍ତ ଶ୍ରୀମନ୍ଦିରର ବାର୍ଷିକ ଆୟବ୍ୟୟ ପଢିବାର ଦେବବିଧି ସମ୍ପନ୍ନ ହେବ। ଶୀତଳଭୋଗ ଓ ପ୍ରସାଦ ଲାଗି ପରେ ଶ୍ରୀସୁଦର୍ଶନ ଦେବ ଶ୍ରୀମନ୍ଦିରକୁ ବାହୁଡ଼ିବେ ।

ଏଥିସହିତ ଶ୍ରୀମନ୍ଦିରରେ ମଧ୍ୟ ଅନ୍ୟାନ୍ୟ ସ୍ୱତନ୍ତ୍ର ନୀତି ପାଳିତ ହେବ । ସକାଳ ଧୂପ ସରିବା ପରେ ଲକ୍ଷ୍ମୀଠାକୁରାଣୀ ଶ୍ରୀଅଙ୍ଗରୁ ଆଜ୍ଞାମାଳ ପାଇ ସାତ ପାହାଚଦ୍ୱାରଠାରେ ଥିବା ପାଲିଙ୍କିରେ ବିଜେ ହୋଇ ଲକ୍ଷ୍ମୀଙ୍କ ଦେଉଳ ଜଗମୋହନରେ ପଡ଼ିଥିବା ଖଟଉପରେ ବିଜେ କରିବେ । ଏଠାରେ ମାଜଣା ଓ ଶୀତଳ ଭୋଗ ହୋଇ ବନ୍ଦାପନା କରାଯିବ । ମଧ୍ୟାହ୍ନ ଧୂପ ଉଠିଲେ ଲକ୍ଷ୍ମୀ ସିଂହାସନ ଉପରକୁ ବିଜେ କରିବେ । ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ଏହି ଦିନ ମହାପ୍ରଭୁ ଆୟବ୍ୟୟର ହିସାବ ନେଇଥାନ୍ତି । ଶ୍ରୀଜଗନ୍ନାଥଙ୍କ ଭଣ୍ଡାର ରକ୍ଷକ ହେଉଛନ୍ତି ଶ୍ରୀ ଜମ୍ୱେଶ୍ୱର ମହାପ୍ରଭୁ । ମହାପ୍ରଭୁଙ୍କ ପ୍ରତିନିଧି ଭାବେ ଶ୍ରୀସୁଦର୍ଶନଦେବ ଏହି ଦାୟିତ୍ୱ ପାଳନ କରିଥାନ୍ତି ।