Odia News Portal

ଭୂକମ୍ପ ମୃତ୍ୟୁ ଟପିଲା ୨୬ ହଜାର

ତୁର୍କୀ ଓ ସିରିୟାରେ ଆସିଥିବା ପ୍ରଳୟଙ୍କରୀ ଭୂକମ୍ପଜନିତ ମୃତ୍ୟୁସଂଖ୍ୟା ଆଜି ୨୬ ହଜାର ଅତିକ୍ରମ କରିଛି। ପ୍ରଭାବିତ ଅଞ୍ଚଳରେ ଉଦ୍ଧାରକାରୀ ଦଳ ପୀଡ଼ିତଙ୍କୁ ବଞ୍ଚାଇବା ପାଇଁ ଅଭିଯାନ ଜାରି ରଖିଥିବା ବେଳେ ଉଭୟ ରାଷ୍ଟ୍ରରେ ଭାରତ ସରକାରଙ୍କ ପକ୍ଷରୁ ଚାଲିଥିବା ଉଦ୍ଧାର ଓ ରିଲିଫ୍‌ ଅଭିଯାନ ‘ଅପରେସନ ଦୋସ୍ତ’ ତ୍ବରାନ୍ବିତ ହୋଇଛି। ଭାରତରୁ ଯାଇଥିବା ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଅହରହ ନିୟୋଜିତ ରହିଛନ୍ତି ଏବଂ ବରଫପାତ ଭିତରେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଭାରତ ସମେତ ୬୦ରୁ ଅଧିକ ରାଷ୍ଟ୍ରର ଉଦ୍ଧାରକାରୀ ଦଳ ଲୋକଙ୍କୁ ଜୀବିତ ଉଦ୍ଧାର କରିବା ପାଇଁ ସବୁ ଶକ୍ତି ଲଗାଇ ଦେଇଛନ୍ତି। ସବୁଠି ଭୂକମ୍ପଜନିତ ଧ୍ବଂସଲୀଳ ଭିତରେ ଥଣ୍ଡା, ଭୋକ ଓ ହତାଶାରେ ଲୋକେ ଛଟପଟ ହେଉଛନ୍ତି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ମୁଖ୍ୟ ଟେଡ୍‌ରସ ଆଧନୋମ ଗେବ୍ରେୟେସସ୍‌ ସିରିୟାର ଭୂକମ୍ପ ପ୍ରଭାବିତ ଆଲେପୋ ସହରରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରିଛନ୍ତି। ଆଜି ହୁଁ ମୁଖ୍ୟ ଜାତିସଂଘ ଅଧିକାରୀଙ୍କ ସହିତ ଏକ ସମୀକ୍ଷା ବୈଠକ କରି ସିରିୟାକୁ ଅଧିକ ସହାୟତା ପ୍ରଦାନ ଉପରେ ଗୁରୁତ୍ବାରୋପ କରିଛନ୍ତି।