Odia News Portal

କୋଭିଡ୍ ହସ୍ପିଟାଲରେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ

ସମ୍ବଲପୁର ଭିମ୍‌ସାର କୋଭିଡ୍‌ ହସ୍ପିଟାଲ ପରିସରରେ ଜଣେ ମହିଳା ରୋଗୀଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି । ରବିବାର ଏହି ଘଟଣା ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଡାକ୍ତରଖାନା କର୍ମଚାରୀ ଦୁଷ୍କର୍ମ ଉଦ୍ୟମ କରିଥିବା ଉକ୍ତ ରୋଗୀଙ୍କୁ କାବୁ କରି ପୋଲିସକୁ ଖବର ଦେଇଥିଲେ।

ସୂଚନା ଅନୁସାରେ, ଭିମ୍‌ସାର କୋଭିଡ୍‌ ହସ୍ପିଟାଲର ଚତୁର୍ଥ ୟୁନିଟ୍‌ରେ କଳାହାଣ୍ଡି ଜିଲ୍ଲାର ଜଣେ ମହିଳା ରୋଗୀ ଚିକିତ୍ସିତ ହୋଇଥିଲେ। ଏହି ୟୁନିଟ୍‌ରେ ଝାରସୁଗୁଡ଼ା ଜିଲ୍ଲାର ଜଣେ ଯୁବକଙ୍କର ମଧ୍ୟ ଚିକିତ୍ସା ଚାଲିଥିଲା । ତେବେ ରବିବାର ବିଳମ୍ବିତ ରାତିରେ ଉକ୍ତ ମହିଳା ରୋଗୀ ବେଡ୍‌ରେ ଶୋଇଥିବା ସମୟରେ ହଠାତ୍‌ ଝାରସୁଗୁଡ଼ାର ଉକ୍ତ ଯୁବକ ସେଠାରେ ପହଞ୍ଚି ମହିଳାଙ୍କ ଶାଢ଼ୀ ଟଣାଓଟରା କରିବା ଦୁଷ୍କର୍ମ ଉଦ୍ୟମ କରିଥିଲେ । କେହି କିଛି ବୁଝିବା ପୂର୍ବରୁ କଥା ବେଶ୍‌ ଆଗକୁ ବଢ଼ି ଯାଇଥିଲା । ମହିଳାଙ୍କ ଚିତ୍କାର ଶୁଣି ଡ୍ୟୁଟିରେ ଥିବା କର୍ମଚାରୀ ସେଠାରେ ପହଞ୍ଚି ଉକ୍ତ ଯୁବକକୁ କାବୁ କରି ପୋଲିସକୁ ଖବର ଦେଇଥିଲେ । ତେବେ ତାଙ୍କ ମାନସିକ ଅବସ୍ଥା ସ୍ଥିର ନଥିବାରୁ ତାଙ୍କୁ ବେଡ୍‌ରେ ବାନ୍ଧି ରଖିବା ସହ ନିଶ୍ଚେତକ ଦେଇ ଶୁଆଇ ଦିଆଯାଇଥିଲା ।

ରବିବାର ରାତିର ଘଟଣା ପରେ କୋଭିଡ୍‌ ହସ୍ପିଟାଲ ପରିସରରେ ମହିଳା ରୋଗୀ କେତେ ସୁରକ୍ଷିତ ସେନେଇ ନା ନା ପ୍ରଶ୍ନ ଉଠିଛି । ଗୋଟିଏ ପଟେ ଦୁଷ୍କର୍ମ ଉଦ୍ୟମ କରିଥିବା ଯୁବକଙ୍କ ମାନସିକ ଅବସ୍ଥା ସ୍ଥିର ନଥିବା ଦର୍ଶାଇ କର୍ତ୍ତୃପକ୍ଷ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରୁଥିବା ମଧ୍ୟ ଅଭିଯୋଗ ଆସିଛି। ସେପଟେ ହସ୍ପିଟାଲର ସୁରକ୍ଷା ଦାୟିତ୍ୱରେ ଥିବା ସୁରକ୍ଷା କର୍ମୀ ଓ ସେତେବେଳେ ଡ୍ୟୁଟିରେ ଥିବା ଆଟେଣ୍ଡାଣ୍ଟ, ନର୍ସ କ’ଣ କରୁଥିଲେ ତାହାର ମଧ୍ୟ ସମୀକ୍ଷା କରାଯିବାର ଆବଶ୍ୟକତା ରହିଛି ବୋଲି ଅନେକ ଦାବି କରିଛନ୍ତି ।