Odia News Portal

ରାଜନୈତିକ ସଭା, ଶୋଭଯାତ୍ରା ଉପରେ ହେଉନି କାର୍ଯ୍ୟାନୁଷ୍ଠାନ, ପୁଲିସ୍ ସାଜିଛି ଦର୍ଶକ

ଭୁବନେଶ୍ୱର: ରାଜ୍ୟର ଦୁଇ ବିରୋଧିଦଳ ବିଜେପି ଓ କଂଗ୍ରେସ ଗତ କିଛିଦିନ ଧରି ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କ ବିରୁଦ୍ଧରେ ରେ ରେ କାର କରୁଥିବାବେଳେ ରାସ୍ତାଘାଟରେ ରାଲି, ଶୋଭାଯାତ୍ରା, ପ୍ରତିବାଦ, ଭାଷଣବାଜି ଚଳାଇଛନ୍ତି । ହଜାର ହଜାର ସମର୍ଥକଙ୍କୁ ସାଙ୍ଗରେ ନେଇ ପରସ୍ପର ଉପରେ ଦୋଷ ଲଦୁଥିବା ଏହି ଦଳଗୁଡିକୁ କରୋନା କଟକଣା ଭିତରେ ଏହା କରିବାକୁ କିଏ ଅନୁମତି ଦେଇଛି ତାହା ବଡ ପ୍ରଶ୍ନବାଚୀ ହୋଇଛି । କରୋନା କଟକଣାର ଖୋଲା ଉଲ୍ଲଙ୍ଘନ କରୁଥିବା ଏହି ଦୁଇଦଳର ନେତା ଓ ସମର୍ଥକଙ୍କ ବିରୁଦ୍ଧରେ ପୁଲିସ୍ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ତାହା ବି ଅନେକଙ୍କ ଆଶ୍ଚର୍ଯ୍ୟ କରୁଛି ।

ରାଜ୍ୟ କଂଗ୍ରେସ ଏବେ ତୈଳଦର ବୃଦ୍ଧିକୁ ବିରୋଧ କରି ୭ରୁ ୧୭ ତାରିଖ ପଯ୍ୟନ୍ତ ସମଗ୍ର ରାଜ୍ୟରେ ଆନ୍ଦୋଳନ କରୁଛି । କେତେବେଳେ ସାଇକେଲ ଶୋଭାଯାତ୍ରା ତ ଆଉ କେତେବେଳେ ଧାରଣା । ଶହ ଶହ ସମର୍ଥକଙ୍କୁ ଧରି ଖୋଦ ପିସିସି ସଭାପତି ରାଜ ରାସ୍ତାରେ ବୁଲୁଛନ୍ତି । ଭାଷଣବାଜି ଠାରୁ ଆରମ୍ଭକରି ସହର ସାରା ଶୋଭାଯାତ୍ରା ଚାଲିଛି । ସେହିଭଳି ବିଜେପି ନେତାମାନେ ବି ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଆନ୍ଦୋଳନ ଡାକରା ଦେଇଛନ୍ତି । ଆବାସ ଦୁର୍ନୀତିରେ ସାରା ରାଜ୍ୟରେ ଧାରଣା ଧର୍ମଘଟ ପରେ ଏବେ ବିଜୁଳି ଦରବୃଦ୍ଧି ପ୍ରସଙ୍ଗରେ ଆନ୍ଦୋଳନ ଚାଲିଛି । ଆଗାକୁ କ୍ୟାଣ୍ଡେଲ ଶୋଭାଯାତ୍ରା ବାହାରିବ ବୋଲି ସୂଚନା ଦେଲେଣି ।

କଂଗ୍ରେସ ନିଜର କ୍ୟାଡରକୁ ସକ୍ରିୟ ପାଇଁ ଲାଗି ପଡିଥିବାବେଳେ ବିଜେପି ତେଲ ଦର ବୃଦ୍ଧିର ନଜର ହଟାଇବାପାଇଁ ଗୋଟିଏ ପରେ ଗୋଟିଏ ଆନ୍ଦୋଳନ ଚଳାଇଛି । ତେବେ ଦୁଇ ଦଳର ଏଭଳି ଶହ ଶହ କର୍ମୀଙ୍କ ଆନ୍ଦୋଳନ ଖୋଲାଖୋଲି ଭାବେ ଏସଆରସିଙ୍କ ପକ୍ଷରୁ ଜାରି କୋଭିଡ କଟକଣାକୁ ଉଲ୍ଲଙ୍ଘନ କରୁଥିବାବେଳେ ସେଥିପ୍ରତି କେହି ଦୃଷ୍ଟି ଦେଉ ନାହାନ୍ତି । ପୁଲିସ୍ ବାବୁମାନେ ଶୋଭାଯାତ୍ରା ଓ ଧାରଣା ସ୍ଥଳରେ ପଇଁତରା ମାରୁଥିବାବେଳେ ଏଥିପ୍ରତି ନଜର ନଦେବା ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଏବେ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଉଲ୍ଲେଖନୀୟ ଯେ କରୋନାର ଦ୍ୱିତୀୟ ଲହରକୁ ପ୍ରତିହତ ପାଇଁ ଜାରି କରୋନା କଟକଣା ମାର୍ଗଦର୍ଶିକାରେ ସ୍ପଷ୍ଟଭାବେ ରାଜନୈତିକ ସଭା, ଶୋଭାଯାତ୍ରା ଆଦିକୁ ବାରଣ କରାଯାଇଛି । ଏହା କରୁଥିବା ସଂଗଠନ ବା ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ ବିପର୍ଯ୍ୟୟ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ପାଇଁ କୁହାଯାଇଛି । ତେବେ ଖୋଦ ରାଜଧାନୀରେ ଏହି ନିର୍ଦ୍ଦେଶନାମାର ଖୋଲା ଉଲ୍ଲଙ୍ଘନ ହେଉଥିବାବେଳେ ପୁଲିସ୍ ଓ ପ୍ରଶାସନ ମୂକ ଦର୍ଶକ ସାଜିଛି । ପ୍ରଶାସନର ଏଭଳି ନରମ ମନୋଭାବର ପ୍ରଭାବ ଏବେ ଗାଁ ଗହଳରେ ଦେଖିବାକୁ ମିଳିଲାଣି । ଲୋକେ ଭୋଜିଭାତ ସହିତ ଶୋଭାଯାତ୍ରା ଆଦି ଆରମ୍ଭ କଲେଣି । ବର୍ତ୍ତମାନ ରାଜନୈତିକ ଦଳମାନେ ଯେଉଁଭଳି ଭାବେ ଆଇନକୁ ମୋଡି ମକଚି କାର୍ଯ୍ୟକ୍ରମ ଚଳାଇଛନ୍ତି ତାହା ତୃତୀୟ ଲହରକୁ ଆମନ୍ତ୍ରଣ କରୁଛି ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଉଥିବାବେଳେ ପ୍ରଶାସନର କାହିଁକି ନରମ ମନୋଭାବ ପୋଷଣ କରୁଛି ତାହା ଏବେ ହଜାରେ ପ୍ରଶ୍ନ ସୃଷ୍ଟି କଲାଣି ।