ଆଜିଠୁ ପୁରୀରେ ଆରମ୍ଭ ହେଉଛି ବ୍ରିକ୍ସ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟକାରୀ ଗୋଷ୍ଠୀର ଦ୍ୱିତୀୟ ବୈଷୟିକ ବୈଠକ। ବିଶ୍ୱ ମଞ୍ଚରେ ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ମଡେଲ୍କୁ ଆଉ ଥରେ ମିଳିଛି ସ୍ୱୀକୃତି। ତିନି ଦିନ ଧରି ଚାଲିବାକୁ ଥିବା ଏହି ହାଇ-ପ୍ରୋଫାଇଲ୍ ବୈଠକରେ ବ୍ରିକ୍ସର ୧୧ଟି ଦେଶର ପ୍ରତିନିଧି ଓ ବିଶେଷଜ୍ଞମାନେ ଯୋଗ ଦେବେ।
ଭାରତର ବ୍ରିକ୍ସ ଅଧ୍ୟକ୍ଷତା ଅଧୀନରେ ପୁରୀସ୍ଥିତ ତାଜ୍ ପୁରୀ ରିସର୍ଟ ଆଣ୍ଡ ସ୍ପାରେ ଆୟୋଜିତ ହେଉଥିବା ଏହି ବୈଠକ ଜୁନ୍ ୫ ତାରିଖ ପର୍ଯ୍ୟନ୍ତ ଚାଲିବ। ବ୍ରାଜିଲ, ରୁଷ, ଭାରତ, ଚୀନ୍ ଓ ଦକ୍ଷିଣ ଆଫ୍ରିକା ସହିତ ୟୁଏଇ, ସାଉଦି ଆରବ, ଇଜିପ୍ଟ, ଇରାନ, ଇଥିଓପିଆ ଓ ଇଣ୍ଡୋନେସିଆର ପ୍ରତିନିଧିମାନେ ଏଥିରେ ସାମିଲ ହେବେ। “ନୂତନତା, ସହଯୋଗ ଓ ସ୍ଥାୟୀତ୍ୱ ମାଧ୍ୟମରେ ବିପର୍ଯ୍ୟୟ ସହନଶୀଳତାର ବିକାଶ” ଥିମ୍ ଉପରେ ଆଧାରିତ ଏହି ବୈଠକରେ ବିପର୍ଯ୍ୟୟ ପରିଚାଳନା ପାଇଁ ପାଣ୍ଠି ଯୋଗାଣ, ସମୁଦାୟ ଭିତ୍ତିକ ସତର୍କ ସୂଚନା ବ୍ୟବସ୍ଥା, ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର ଓ ସଦସ୍ୟ ଦେଶମାନଙ୍କ ମଧ୍ୟରେ ଜ୍ଞାନ ଆଦାନ-ପ୍ରଦାନ ଉପରେ ବିସ୍ତୃତ ଆଲୋଚନା ହେବ।
ଓଡ଼ିଶା ପାଇଁ ଏହି ବୈଠକ ଏକ ଗୌରବର ମୁହୂର୍ତ୍ତ। ବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା, ଆଗୁଆ ସ୍ଥାନାନ୍ତରଣ ଯୋଜନା ଓ ‘ଶୂନ୍ୟ ଜୀବନହାନି’ ନୀତି ପାଇଁ ଓଡ଼ିଶା ଆଜି ବିଶ୍ୱସ୍ତରରେ ଏକ ଆଦର୍ଶ ମଡେଲ୍ ଭାବେ ପରିଚିତ। ଜାତିସଂଘ ସମେତ ବିଭିନ୍ନ ଆନ୍ତର୍ଜାତୀୟ ସଂସ୍ଥା ମଧ୍ୟ ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ପ୍ରଶଂସା କରିଛନ୍ତି। ଏହି ସଫଳତାକୁ ସ୍ୱୀକୃତି ଦେଇ ଭାରତ ସରକାର ବ୍ରିକ୍ସର ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ପାଇଁ ପୁରୀକୁ ଚୟନ କରିଛନ୍ତି। ଏଠାରେ ହେବାକୁ ଥିବା ଆଲୋଚନା ଓ ସୁପାରିଶଗୁଡ଼ିକ ଆଗାମୀ ବ୍ରିକ୍ସ ଶୀର୍ଷ ସମ୍ମିଳନୀ ପାଇଁ ନୀତି ଓ ରଣନୀତି ପ୍ରସ୍ତୁତିରେ ମହତ୍ୱପୂର୍ଣ୍ଣ ଭୂମିକା ନେବ।
ଏହି ଆନ୍ତର୍ଜାତୀୟ କାର୍ଯ୍ୟକ୍ରମକୁ ନଜରରେ ରଖି ପର୍ଯ୍ୟଟନ ସହର ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସହରର ବିଭିନ୍ନ ସ୍ଥାନରେ ପୋଲିସ ଓ ସୁରକ୍ଷା ବାହିନୀ ମୁତୟନ କରାଯାଇଥିବାବେଳେ ପ୍ରତିନିଧିମାନଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।
