ଉତ୍ତରପ୍ରଦେଶରେ ଆଜି ଏକ ଅପ୍ରତ୍ୟାଶିତ ଘଟଣା ଘଟିଛି। ଉତ୍ତରପ୍ରଦେଶ ବିଧାନସଭା ଆଜି ଏକ କୋର୍ଟରୁମ୍ରେ ପରିଣତ ହୋଇଥିଲା। ସଂସଦୀୟ ବ୍ୟାପାର ମନ୍ତ୍ରୀ ସୁରେଶ ଖାନ୍ନା ଆଜି ୬ ଜଣ ପୁଲିସଙ୍କୁ ଦିନକ ପାଇଁ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ୨ ଦଶନ୍ଧି ତଳର ସ୍ବାଧିକାର ଭଙ୍ଗ ମାମଲାରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି। ୨୦୦୪ ମସିହାରେ ତତ୍କାଳୀନ ବିଜେପି ବିଧାୟକ ସଲିଲ ବିଷ୍ଣୋଇଙ୍କ ସ୍ବାଧିକାର ଭଙ୍ଗ ମାମଲାରେ ୬ ପୁଲିସ ଦଣ୍ଡିତ ହୋଇଛନ୍ତି। ୧୮ ବର୍ଷ ତଳେ ଏହି ସ୍ବାଧିକାର ଭଙ୍ଗ ନୋଟିସ୍ ଦିଆଯାଇଥିଲା।
ତତ୍କାଳୀନ ବିଧାୟକ ବିଷ୍ଣୋଇ କାନପୁରରେ ବିଜୁଳି କାଟକୁ ବିରୋଧ କରି ଏକ ପ୍ରତିନିଧି ଦଳ ସହ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେବାକୁ ଯାଉଥିବା ବେଳେ ପୁଲିସ କର୍ମୀମାନେ ତାଙ୍କୁ ଦୁର୍ବ୍ୟବହାର କରିଥିଲେ। ସେ ବିଧାୟକ ବୋଲି ପରିଚୟ ଦେବା ପରେ ମଧ୍ୟ ତାଙ୍କୁ ଗାଳିଗୁଲଜ କରି ପ୍ରବଳ ମାଡ଼ ମାରିଥିଲେ। ଏହି ପୁଲିସକର୍ମୀ ହେଉଛନ୍ତି କାନପୁରର ତତ୍କାଳୀନ ସର୍କଲ୍ ଅଫିସର ଅବଦୁଲ ସମଦ (ଅବସରପ୍ରାପ୍ତ) ,ତତ୍କାଳୀନ ଏସଏଚଓ ଶ୍ରୀକାନ୍ତ ଶୁକ୍ଳା, ତତ୍କାଳୀନ ଏସ୍ଆଇ ତ୍ରିଲୋକି ସିଂହ, କନେଷ୍ଟବଳ ଛୋଟେ ସିଂହ, ବିନୋଦ ମିଶ୍ର ଏବଂ ମେହରବନ ସିଂହ। ସେମାନଙ୍କ ବିରୋଧରେ ଆଜି ଗୃହରେ ବିଚାରଣ ଆରମ୍ଭ ହୋଇଥିଲା ଏବଂ ବିଧାନସଭା ଏକ କୋର୍ଟରୁମ୍ରେ ପରିଣତ ହୋଇଥିଲା।
୬ ଜଣ ପୁଲିସ କର୍ମୀଙ୍କୁ ଆଜି ରାତି ୧୨ଟା ପର୍ଯ୍ୟନ୍ତ ବନ୍ଦୀ କରି ରଖାଯିବ। ସେମାନଙ୍କୁ ବିଧାନସଭାର ଏକ କକ୍ଷରେ ବନ୍ଦୀ ରଖାଯିବା ସହ ଖାଦ୍ୟପେୟ ବ୍ୟବସ୍ଥା ହୋଇଛି। ଆଜିର ବିଧାନସଭା କୋର୍ଟ ବିଚାରଣ ସମୟରେ ସମାଜବାଦୀ ପାର୍ଟିର କୌଣସି ବିଧାୟକ ଉପସ୍ଥିତ ନଥିଲେ। ବିରୋଧୀ ଦଳ ନେତା ଅଖିଳେଶ ଯାଦବ ଗୃହରେ ଉପସ୍ଥିତ ନଥିବା ବେଳେ ସେ ଗୃହର ଏଭଳି ପଦକ୍ଷେପକୁ କଡ଼ା ନିନ୍ଦା କରିଛନ୍ତି। ଏହା ଭୁଲ୍ ପରମ୍ପରା ସୃଷ୍ଟି କରିବ ବୋଲି ସେ କହିଛନ୍ତି।