Odia News Portal

ଅପରାହ୍ଣ ୨ଟାରେ ହେବ ସିସୋଦିଆଙ୍କ ଜାମିନ ଆବେଦନର ଶୁଣାଣି

ଆଜି ଅପରାହ୍ଣ ୨ଟା ବେଳେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ‘ସିବିଆଇ’ ଅଦାଲତରେ ହାଜର କରାଯିବ। ସେଠାରେ ସେ ଜାମିନ ପାଇଁ ଆବେଦନ କରିଥିଲେ ଓ ତାଙ୍କର ଜାମିନ ଆବେଦନ ଶୁଣାଣି କରାଯିବ ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି।

ପୂର୍ବରୁ ସେ ଏହି ମାମଲାରେ ଜାମିନ ନିମନ୍ତେ ସୁପ୍ରିମ୍‌ କ‌ୋର୍ଟରେ ଆବେଦନ କରିଥିଲେ। କିନ୍ତୁ, ଏଥିରେ ହସ୍ତକ୍ଷେପ କରିବାକୁ ମନାକରି ନିମ୍ନ ଅଦାଲତରେ ଆବେଦନ କରିବାକୁ ପରାମର୍ଶ ଦେଇଥିଲେ।

ଦିଲ୍ଲୀ ମଦ ନୀତିରେ ହୋଇଥିବା ଦୁର୍ନୀତି ଜଡ଼ିତ ଥିବା ଦର୍ଶାଇ ଗତ ରବିବାର ରାତିରେ ତାଙ୍କୁ ‘ସିବିଆଇ’ ଗିରଫ କରିଥିଲା। ଆଜି ତାଙ୍କର ‘ସିବିଆଇ’ ହାଜତ ରହଣି ଶେଷ‌ ହେବାକୁ ଥିବାରୁ ତାଙ୍କୁ ଅଦାଲତରେ ହାଜର କରାଯିବ।

ଜାମିନ ଆବେଦନରେ ସିସୋଦିଆ ଉଲ୍ଲେଖ କରିଛନ୍ତି ଯେ, ସମସ୍ତ ‘ରିକଭିରି’ ଶେଷ ହୋଇଥିବାରୁ ତାଙ୍କୁ ହାଜତରେ ରଖିଲେ କିଛି ସୁଫଳ ମିଳିବ ନାହିଁ। ଯେତେବେଳେ ସମନ ପାଇବେ ତୁରନ୍ତ ‘ସିବିଆଇ’ରେ ହାଜର ହେବେ ବୋଲି ସେ କହିଛନ୍ତି।

ସ‌େ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ମାମଲାରେ ଗିରଫ ହୋଇଥିବା ବ୍ୟକ୍ତିମାନ‌େ ମଧ୍ୟ ଜାମିନ ପାଇ ସାରିଛନ୍ତି। ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ଭଳି ଗୁରୁତ୍ବପୂର୍ଣ୍ଣ ସାମ୍ବିଧାନିକ ପଦବୀରେ ଥିବାରୁ ସମାଜରେ ତାଙ୍କର ସମ୍ପର୍କ ମଧ୍ୟ ଅତି ନିବିଡ଼।

ସୂଚନାଯୋଗ୍ୟ, ସୁପ୍ରିମ୍‌ କୋର୍ଟ ଜାମିନ ଆବେଦନ ଶୁଣାଣି କରିବାକୁ ଅଗ୍ରାହ୍ୟ କରିଦେବାରୁ ସିସୋଦିଆଙ୍କ ଓକିଲ ଦିଲ୍ଲୀ ରାଉଜ୍‌ ଆଭେନ୍ୟୁ କୋର୍ଟରେ ଜାମିନ ଆବେଦନ କରିଥିଲେ।