Odia News Portal

ଆଜିଠୁ ୪ ଦିନ ପ୍ରବଳ ଖରା

ସୋମବାର ଦିନ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ଖରା ହୋଇଥିଲା। ସକାଳ ପ୍ରାୟ ୭ଟାରୁ ଖରା ପ୍ରକୋପ ଆରମ୍ଭ ହୋଇଥିବା ବେଳେ ଦିନ ୨ଟା ବେଳକୁ ସାମାନ୍ୟ ମେଘୁଆ ପାଗ ରାଜ୍ୟବାସୀଙ୍କୁ ଖରାରୁ ଆଶ୍ବସ୍ତ କରିଥିଲା। ଅପରାହ୍ନ ଆଡ଼କୁ ଉପକୂଳ ଓଡ଼ିଶାର କିଛି ଅଞ୍ଚଳ ସମେତ କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, କନ୍ଧମାଳ, କଳାହାଣ୍ଡି ଓ ରାୟଗଡ଼ା ଆଦି ଜିଲ୍ଲାର କିଛି ଅଂଶରେ ହାଲୁକା ବର୍ଷା ହୋଇଯାଇଛି।

ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ପାଗ ସମ୍ପୂର୍ଣ୍ଣ ଶୁଖିଲା ଓ ଖରାଟିଆ ରହିବ। ଆସନ୍ତା ୨ ଦିନରେ ରାଜ୍ୟର ତାପମାତ୍ରା ପାଖାପାଖି ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ। ୭ ତାରିଖ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବିଶେଷକରି କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ, ନୟାଗଡ଼, ରାୟଗଡ଼ା, ବୌଦ୍ଧ, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର କେତେକ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ଆଜି ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳର ପାଗ ସମ୍ପୂର୍ଣ୍ଣ ‌ଖରାଟିଆ ରହିବ। ଦିନର ସର୍ବୋଚ୍ଚ ତାପମାତ୍ରା ୩୬ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୩ ଡିଗ୍ରି ମଧ୍ୟରେ ରହିବ।