Odia News Portal

ନିପନ୍ ଷ୍ଟିଲ୍ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ: ଓଡ଼ିଶାରେ ପ୍ରତିଷ୍ଠା ହେବ ୩୦ ନିୟୁତ ଟନ୍ କ୍ଷମତାବିଶିଷ୍ଟ ଇସ୍ପାତ କାରଖାନା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାପାନରେ ନିପନ୍ ଷ୍ଟିଲ୍ ପରିଦର୍ଶନ କରିଛନ୍ତି। ସେ ନିପନ୍ ଷ୍ଟିଲ କର୍ପୋରେସନର ଆଇଡି ସେଣ୍ଟର ପରିଦର୍ଶନ କରିଛନ୍ତି। ରାଜ୍ୟ ସରକାରଙ୍କ ପ୍ରତିନିଧି ଦଳ ମଧ୍ୟ ନିପନ୍ ଷ୍ଟିଲ୍ ବୁଲି ଦେଖିଛନ୍ତି। ଜାପାନ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ପୂର୍ବରୁ ନିପନ୍ ଷ୍ଟିଲ୍ କର୍ପୋରେସନ୍ ଅଧ୍ୟକ୍ଷ ଇଜି ହାସିମୋଟାଙ୍କୁ ସାକ୍ଷାତ କରିଥିଲେ।

ଉଭୟଙ୍କ ମଧ୍ୟରେ ଆଲୋଚନା ବେଳେ ରାଜ୍ୟରେ ନିପନ୍ କମ୍ପାନି ବାର୍ଷିକ ୩୦ ନିୟୁତ ଟନ୍ କ୍ଷମତାବିଶିଷ୍ଟ ଏକ ବିଶାଳ ଇସ୍ପାତ କାରଖାନା ସ୍ଥାପନ କରିବ। ଏନେଇ କମ୍ପାନି ଯୋଜନା ରଖିଥିବା ବିଷୟରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ। ହାସିମୋଟା ଓ ତାଙ୍କ ଟିମକୁ ମୁଖ୍ୟମନ୍ତ୍ରୀ ଓଡ଼ିଶା ଆସିବାକୁ ନିମନ୍ତ୍ରଣ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଓଡ଼ିଶା ବିଜନେସ୍ ମିଟ୍ ମାଧ୍ୟମରେ ଓଡ଼ିଶା ସରକାର ଲଜିଷ୍ଟିକ୍ସ, ମେଟାଲ ଆନୁଷଙ୍ଗିକ, ଇସ୍ପାତ, ମେଟାଲ ଡାଉନଷ୍ଟ୍ରିମ୍, ଗ୍ରୀନ୍ ହାଇଡ୍ରୋଜେନ୍ ଏବଂ ଗ୍ରୀନ୍ ଆମୋନିଆ, ଗ୍ରୀନ୍ ଏନର୍ଜି ଇକ୍ୱିପମେଣ୍ଟ ଉତ୍ପାଦନ ଏବଂ ଆଇଟି/ଆଇଟିଇଏସ୍ ଭଳି କ୍ଷେତ୍ରରେ ୨୫ ହଜାର କୋଟି ଟଙ୍କାରୁ ଅଧିକ ପୁଞ୍ଜି ନିବେଶ ପ୍ରସ୍ତାବ ହାସଲ କରିଛନ୍ତି। ସେହିପରି ନିହନ-ଉତ୍କଳ (ଏନ୍ଆଇଟିକେଏଲ୍) ଏବଂ ଭୁବନେଶ୍ୱର-ଆଇଆଇଆଇଟି ମଧ୍ୟରେ ଦକ୍ଷତା ବିକାଶ କ୍ଷେତ୍ରରେ ସହଯୋଗ ପାଇଁ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।