Odia News Portal

ରାଜ୍ୟରେ ଗ୍ରୀଷ୍ମପ୍ରବାହ: ଅତି ଆବଶ୍ୟକ ନ ପଡ଼ିଲେ ଘରୁ ନ ବାହାରିବାକୁ ପରାମର୍ଶ ଦେଲେ ଏସଆରସି

ରାଜ୍ୟରେ ଗ୍ରୀଷ୍ମପ୍ରବାହ ନେଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ବତନ୍ତ୍ର ରିଲିଫ୍ କମିସନର (ଏସଆରସି)। ସେ କହିଛନ୍ତି, ଅତି ଖରାବେଳେ ଶ୍ରମିକମାନେ କାମ କରନ୍ତୁ ନାହିଁ। ଠିକ୍ ସେହିପରି ଅତି ଆବଶ୍ୟକ ନ ପଡ଼ିଲେ ଘରୁ ନ ବାହାରକୁ ସେ ପରାମର୍ଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଆଜି ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡ଼ାରେ ସର୍ବାଧିକ ୩୯ ଦଶମିକ୍ ୮ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି। କେନ୍ଦୁଝରରେ ତାପମାତ୍ରା ୩୯ ଦଶମିକ୍ ୨ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ , ଚାନ୍ଦବାଲିରେ ୩୮ ଡିଗ୍ରି, ଭୁବନେଶ୍ୱରରେ ୩୭ ଦଶମିକ୍ ୮ ଡିଗ୍ରି, ବାଲେଶ୍ୱରରେ ୩୭ ଡିଗ୍ରି, ହୀରାକୁଦରେ ୩୬ ଦଶମିକ୍ ୮ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି।

ପ୍ରଚଣ୍ଡ ଖରା ଯୋଗୁଁ ତତଲା ତାୱା ପାଲଟିଛି ସାରା ଓଡ଼ିଶା। ପାରଦ ଦିନକୁ ଦିନ ଉପରମୁହାଁ ହେବାରେ ଲାଗିଛି। ଗୁରୁବାର ଦିନ ରାଜ୍ୟର ୨୫ଟି ସହରରେ ତାପମାତ୍ରା ୪୦ ଡିଗ୍ରିରୁ ଅଧିକ ରେକର୍ଡ ହୋଇଥିବା ବେଳେ ୮ ସହରର ପାରଦ ୪୨ ଡିଗ୍ରି ପାର୍‌ କରିଛି। ୪୩.୫ ଡିଗ୍ରି ତାପମାତ୍ରା ସହ ବାରିପଦା ରାଜ୍ୟର ଉତ୍ତପ୍ତ ସହର ତାଲିକାର ସର୍ବାଗ୍ରେ ରହିଛି। ଆଜି(ଶୁକ୍ରବାର) ବି ରାଜ୍ୟବାସୀଙ୍କୁ ତାତିରୁ ତ୍ରାହି ନାହିଁ। ଓଡ଼ିଆ ନବବର୍ଷ ବା ପଣା ସଂକ୍ରାନ୍ତିରେ ରାଜ୍ୟର ତାପମାତ୍ରା ଆହୁରି ୧ ଡିଗ୍ରି ବୃଦ୍ଧିପାଇବ। ଫଳରେ ପ୍ରଚଣ୍ଡ ଖରା ଓ ଗର‌ମରେ ଆଉଟୁ ପାଉଟୁ ହେବେ ରାଜ୍ୟବାସୀ। ଏଣୁ ଆସନ୍ତା ୨ ଦିନ ପାଇଁ ହିଟ୍‌ ୱେଭ୍‌ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଆଜି ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ସମ୍ବଲପୁର, ଦେବଗଡ଼ ଓ ଅନୁଗୁଳ ଆଦି ୮ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।