Odia News Portal

ଆସନ୍ତା ୪ ଦିନ ଯାଏଁ ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା, ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଆସନ୍ତା ୪ ଦିନ ଯାଏଁ ରାଜ୍ୟରେ ଜାରି ରହିବ କାଳବୈଶାଖୀ ବର୍ଷା । କାଳବୈଶାଖୀ ପ୍ରଭାବରେ ଆଜି ଦକ୍ଷିଣ ଓଡିଶାର ଅନେକ ସ୍ଥାନରେ ବର୍ଷା ହୋଇପାରେ । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିକେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌.ଆର୍‌.ବିଶ୍ୱାସ ସୂଚନା ଦେଇଛନ୍ତି । କାଳବୈଶାଖୀ ପାଇଁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି।

ତେବେ ଏହି ୬ ଜିଲ୍ଲା ଗୁଡ଼ିକ ହେଲା ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତି ଓ ଗଞ୍ଜାମ । ଏହି ସବୁ ଜିଲ୍ଲାର କଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଏଥିସହ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ । ସେହିପରି ମାଲକାନଗିରି, କୋରାପୁଟ, ନୂଆପଡ଼ା, ବଲାଙ୍ଗୀର, ସୋନପୁର, ସମ୍ବଲପୁର, ବୌଦ୍ଧ, ଅନୁଗୁଳୁ, ନୟାଗଡ଼, କଟକ, ଢ଼େଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ମେ’ ୧ ତାରିଖ ଯାଏଁ ରାଜ୍ୟରେ ଏହିଭଳି ଜାରି ରହିବା ସହ ତାପମାତ୍ରା ବି ବିଶେଷ ବଢ଼ିବାରେ ସମ୍ଭାବନା ନାହିଁ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ରହିଛି ।

ତେବେ ରାଜଧାନୀ ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳରେ ଆଜି ସକାଳୁ ଆକାଶ ମେଘାଚ୍ଛନ୍ନ ରହିଥିବାବେଳେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ଗତକାଲି ମଧ୍ୟ ରାଜ୍ୟର କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ଦେଖିବାକୁ ମିଳିଥିଲା ।