Odia News Portal

ବାଂଲାଦେଶ ଉପରେ ମୋକାର ପଡ଼ିବ ପ୍ରଭାବ, ଓଡ଼ିଶାରେ ବଢ଼ିବ ତାତି

ଭୀଷଣ ବାତ୍ୟା ‘ମୋକା’ ଯାହାକି ଶନିବାର ଦକ୍ଷିଣ ପୂର୍ବ ପାରାଦ୍ୱୀପ ଠାରୁ ୫୯୦ କିମି ଦୂରରେ ରହିଥିଲା ତାହା ଉତର ପୂର୍ବ ଦିଗରେ ବାଂଲାଦେଶ ଆଡକୁ ମୁହାଁଇବାର ସମ୍ଭାବନା ରହିଛି ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
ରବିବାର ଅପରାହ୍ଣରେ ଏହା ବାଂଲାଦେଶ ଉପକୂଳରେ ସ୍ଥଳଭାଗରେ ଛୁଇଁବାର ସମ୍ଭାବନା ଥିବା ବେଳେ ଏହି ସମୟରେ ପବନର ବେଗ ଘଂଟା ପ୍ରତି ୨୦୦ କିଲୋମିଟର ରହିବାର ସମ୍ଭାବନା ରହିଛି ବୋଲି ସିଇସି ବୁଲେଟିନ୍ ପ୍ରକାଶ କରିଛି ।
ଏହି ବାତ୍ୟା ସମୁଦ୍ରର ଜଳୀୟ ବାଷ୍ପକୁ ସାଂଗରେ ଟାଣି ନେଇଯିବାର ସମ୍ଭାବନା ରହିଛି ଏବଂ ଉତର ପଶ୍ଚିମ ଦିଗରୁ ଗରମ ଓ ଶୁଷ୍କ ବାୟୁ ପ୍ରବାହ ଯୋଗୁଁ ମେ ୧୫ ତାରିଖରୁ ଓଡ଼ିଶାରେ ପ୍ରଚଣ୍ଡ ଗ୍ରୀଷ୍ମ ଅନୁଭୂତ ହୋଇପାରେ । ଏଭଳି ଅବସ୍ଥା ଏକ ସପ୍ତାହ ପର୍ଯ୍ୟନ୍ତ ଲାଗି ରହିବ ।
ତେବେ ବାତ୍ୟାର ପ୍ରଭାବରେ ରବିବାର ଓଡ଼ିଶାର ଉପକୂଳ ଜିଲ୍ଲାଗୁଡ଼ିକରେ ପବନର ବେଗ ଘଂଟା ପ୍ରତି ୩୫ ରୁ ୪୦ କିମି ରହିବାର ସମ୍ଭାବନା ଥିବା ବେଳେ ମୟୁରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ବୁଲେଟିନ୍‌ରେ କୁହାଯାଇଛି ।