ଓଡ଼ିଶା ଦେଇ ଅଧିକ ଦୁଇଟି ବନ୍ଦେ ଭାରତ ଏକ୍ସେପ୍ରସ ଚଳାଚଳ କରୁ । ଗୋଟିଏ ପୁରୀରୁ ସମ୍ବଲପୁର ଦେଇ ରାଉରକେଲା ଏବଂ ଅନ୍ୟଟି ଭୁବନେଶ୍ବରରୁ ହାଇଦ୍ରାବାଦ ମଧ୍ୟରେ ଚଳାଚଳ କରୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ଏ ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶାର ସ୍ବାର୍ଥକୁ ଆଖିରେ ରଖି ନବୀନ ଆହୁରି ଦାବି ରଖିଛନ୍ତି ଯେ, ଶ୍ରୀକ୍ଷେତ୍ର ପୁରୀ ଓ କୋଣାର୍କ ମଧ୍ୟରେ ନୂଆ ରେଳ ଲାଇନ କାମ ହେଉ । ରେଳ ଚାଲୁ । ଏହା ରାଜ୍ୟର ବିକାଶକୁ ଆଗକୁ ନେବ । ଏଥିସହ ଅନୁଗୁଳ- ସୁକିନ୍ଦା ଏବଂ ହରିଦାସପୁର-ପାରାଦୀପ ଲାଇନରେ ଶୀଘ୍ର ପ୍ୟାସେଞ୍ଜର ଟ୍ରେନ୍ ଚଳାଚଳ ପାଇଁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ।
ଆଜି ପୁରୀ-କୋଲକାତା ବନ୍ଦେ ଭାରତ ଏକ୍ସପ୍ରେସ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିସହ ପୁରୀ ଓ କଟକ ରେଳଷ୍ଟେସନର ପୁନର୍ବିକାଶ ପାଇଁ ଭିତ୍ତିପ୍ରସ୍ତର ରଖାଯାଇଛି। ଅନୁଗୁଳ-ସୁକିନ୍ଦା ନୂଆ ରେଳଲାଇନ୍, ସମ୍ବଲପୁର-ଟିଟିଲାଗଡ଼ ଲାଇନ୍ ଦାେହରୀକରଣ ଏବଂ ଆଉ ଦୁଇଟି ରେଳଲାଇନ୍ ଲୋକାର୍ପଣ କରାଯାଇଛି। ଓଡ଼ିଶାରେ ରେଳ ଲାଇନର ଶହେ ପ୍ରତିଶତ ବିଦ୍ୟୁତକରଣ ର ମଧ୍ୟ ଲୋକାର୍ପଣ କରାଯାଇଛି। ଏହି କାର୍ୟ୍ୟକ୍ରମରେ ସାମିଲ ହାେଇ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ସେ ଏ ଅବସରରେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦେବି ରଖିଛନ୍ତି, ଅଧିକ ଦୁଇଟି ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ କଲେ ଏହା ଯାତ୍ରୀମାନଙ୍କୁ ବେଶ ଲାଭ ଦେବ ।
ନବୀନ କହିଲେ, ରାଜ୍ୟ ସରକାର ପୁରୀକୁ ଐତିହ୍ୟ ନଗରୀ କରିବାକୁ କାମ ଆରମ୍ଭ କରିଛନ୍ତି । ଏଥିପାଇଁ ଭିତ୍ତିଭୂମି ବିକାଶ କାମ ଚାଲିଛି । ଶହେ ପ୍ରତିଶତ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ପ୍ରକଳ୍ପ କାର୍ୟ୍ୟକାରୀ କରିବାରେ ପୁରୀ ଦେଶରେ ପ୍ରଥମ ସହର । ତେଣୁ ପୁରୀ ଓ କୋଣାର୍କ ମଧ୍ୟରେ ରେଳ ସଂଯାେଗ ଜରୁରୀ । ଏହାଦ୍ବାରା ଦୁଇ ଜଣାଶୁଣା ପର୍ୟ୍ୟଟନସ୍ଥଳୀ ମଧ୍ୟରେ ଯାତାୟତ ଆହୁରି ସୁଗମ ହେବ । ଆଗକୁ ପୁରୀ ଆନ୍ତର୍ଜାତିକ ବିମାନବନ୍ଦର କାମ ହେବ । ନିକଟରେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ପୁରୀରେ ପ୍ରସ୍ତାବିତ ଶ୍ରୀଜଗନ୍ନାଥ ଆନ୍ତର୍ଜାତିକ ବିମାନବନ୍ଦର ସଂପର୍କରେ ସେ ବିସ୍ତୃତ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ଦେଇଥିବା ସମସ୍ତ ପ୍ରସ୍ତାବ କାର୍ୟ୍ୟକାରୀ କରାଯିବ। ଆସନ୍ତା ୪ ବର୍ଷ ମଧ୍ୟରେ ଏ ବିମାନ ବନ୍ଦର କାମ ସରି କାର୍ୟ୍ୟକ୍ଷମ ହେବ । ଏହାକୁ ନିଜେ ପ୍ରଧାନମନ୍ତ୍ରୀ ଆସି ଲୋକାର୍ପଣ କରିବା ନେଇ ସେ ଆଶାବାଦି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ପୁରୀ-କୋଣାର୍କ ରେଳ ପ୍ରକଳ୍ପରେ ରାଜ୍ୟ ସରକାର ସବୁପ୍ରକାର ସହଯାେଗ କରିବେ । ଏ ପ୍ରକଳ୍ପର ୫୦ ପ୍ରତିଶତ ନିର୍ମାଣ ଖର୍ଚ୍ଚ ସହ ସମୁଦାୟ ଜମି ଅଧିଗ୍ରହଣ ଖର୍ଚ୍ଚ ବହନ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏହା ରେଳବାଇ ପାଇଁ ଲାଭଜନକ ହେବ ବୋଲି ସ୍ପଷ୍ଟ କରିଛନ୍ତି ନବୀନ ।ଦେଶରେ ବୁଲେଟ୍ ଟ୍ରେନ୍ ଚଳାଚଳର ପ୍ରଥମ ପାହାଚ ହେଉଛି ବନ୍ଦେ ଭାରତ ଏକ୍ସପ୍ରେସ୍ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଖୁବ୍ ଶୀଘ୍ର ଦେଶରେ ବୁଲେଟ୍ ଟ୍ରେନ୍ ଚାଲିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
Sign in
Sign in
Recover your password.
A password will be e-mailed to you.