Odia News Portal

କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ ଆପକୁ ସମର୍ଥନ କରିବ ନାହିଁ କଂଗ୍ରେସ

ଦିଲ୍ଲୀରେ ପ୍ରଶାସନିକ ଅଧିକାରୀଙ୍କ ନିଯୁକ୍ତି ଏବଂ ବଦଳି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ବିରୋଧରେ ସମର୍ଥନ ହାସଲ ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସମ୍ପ୍ରତି ଉଦ୍ୟମ ଜାରି ରଖିଛନ୍ତି । ଏଥିପାଇଁ ସେ ସମସ୍ତ ବିରୋଧୀ ଦଳର ମୁଖ୍ୟଙ୍କୁ ଭେଟି ଆଲୋଚନା କରୁଛନ୍ତି। କିନ୍ତୁ ସେ ଏହି ପ୍ରସଙ୍ଗରେ ଏପର୍ଯ୍ୟନ୍ତ କୌଣସି କଂଗ୍ରେସ ନେତାଙ୍କୁ ଭେଟିନାହାଁନ୍ତି। ତେବେ କଂଗ୍ରେସ ତାଙ୍କୁ ଏହି ପ୍ରସଙ୍ଗରେ ସମର୍ଥନ କରିବ ନାହିଁ ବୋଲି ଜଣାପଡ଼ିଛି ।

ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ପ୍ରସଙ୍ଗରେ ଆମ୍ ଆଦମୀ ପାର୍ଟିକୁ ସମର୍ଥନ ନ କରିବାକୁ ଦିଲ୍ଲୀ କଂଗ୍ରେସ ନେତାମାନେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ପରାମର୍ଶ ଦେଇଛନ୍ତି। ଆପକୁ ସମର୍ଥନ ଜଣାଇଲେ ଦଳକୁ କ୍ଷତି ହେବ ବୋଲି ସେମାନେ କହିଛନ୍ତି । ତେବେ ଏହା ପୂର୍ବରୁ ଯେତେବେଳେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ବିରୋଧୀ ଏକତା ନେଇ ମଲ୍ଲିକାର୍ଜୁନ ଖଡ଼ଗେ ଓ ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ, ସେତେବେଳେ ଦଳର ନେତୃତ୍ୱ ଆପକୁ ସମର୍ଥନ କରିବା ନେଇ ବାର୍ତ୍ତା ଦେଇଥିଲେ।

ଦିଲ୍ଲୀରେ ପ୍ରଶାସନିକ ଅଧିକାରୀଙ୍କ ବଦଳି ଏବଂ ନିଯୁକ୍ତି ନେଇ କେନ୍ଦ୍ର ଓ ଅରବିନ୍ଦ କେଜ୍ରିୱାଲ ସରକାରଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଛି। କିଛି ଦିନ ତଳେ ସୁପ୍ରିମକୋର୍ଟ ଏହି ମାମଲାରେ ଦିଲ୍ଲୀ ସରକାରଙ୍କ ସପକ୍ଷରେ ରାୟ ଦେଇଥିଲେ। ଅମଲାଙ୍କ ବଦଳି ଓ ନିଯୁକ୍ତି ଉପରେ ଦିଲ୍ଲୀର ନିର୍ବାଚିତ ସରକାରଙ୍କ ପୂର୍ଣ୍ଣ ନିୟନ୍ତ୍ରଣ ରହିବ ବୋଲି ଉଚ୍ଚତମ ନ୍ୟାୟାଳୟ କହିଥିଲେ । ହେଲେ ମେ ୧୯ରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ରାୟକୁ ପ୍ରଭାବହୀନ କରିବାକୁ ଏକ ଅଧ୍ୟାଦେଶ ଜାରି କରିଥିଲେ। ଏହି ଅଧ୍ୟାଦେଶ ଅଧିକାରୀଙ୍କ ପୋଷ୍ଟିଂ ଏବଂ ଟ୍ରାନ୍ସଫର ମାମଲାରେ ପୁଣି ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କୁ କ୍ଷମତାପ୍ରାପ୍ତ କରିଥିଲା । ଏବେ ସଂସଦରେ ଏହି ଅଧ୍ୟାଦେଶକୁ ପାରିତ କରାଯିବ । ସଂସଦରେ ଏହି ଅଧ୍ୟାଦେଶ ବିରୋଧରେ ଭୋଟ୍ ଦେବାକୁ ବିରୋଧୀ ଦଳଗୁଡ଼ିକୁ ଏକଜୁଟ କରିବାକୁ ଉଦ୍ୟମ ଚଳାଇଛନ୍ତି କେଜ୍ରିୱାଲ ।