Odia News Portal

ପ୍ରତିରକ୍ଷା ସାମଗ୍ରୀ ରପ୍ତାନୀ ୧୬ ହଜାର କୋଟି ଛୁଇଁଲା

୨୦୨୨-୨୩ ଆର୍ôଥକବର୍ଷରେ ଭାରତର ପ୍ରତିରକ୍ଷା ସାମଗ୍ରୀ ରପ୍ତାନୀ କାରବାର ୧୬,୦୦୦ କୋଟି ଟଙ୍କାରେ ପହଞ୍ଚିଥିବା ଜଣାପଡିଛି । ଏହା ସର୍ବକାଳୀନ ରେକର୍ଡ ବୋଲି କୁହାଯାଇଛି । ୨୦୧୩-୧୪ ଆର୍ôଥକବର୍ଷରେ ଏହି ପରିମାଣ ମାତ୍ର ୬୮୬ କୋଟି ରହିଥିବାବେଳେ ଏଥିରେ ୨୩ ଗୁଣା ବୃଦ୍ଧି ଘଟିଛି ।

ଭାରତ ବର୍ତ୍ତମାନ ୮୫ଟି ରାଷ୍ଟ୍ରକୁ ପ୍ରତିରକ୍ଷା ସାମଗ୍ରୀ ରପ୍ତାନୀ କରୁଛି । ଏଥିରୁ ଆନ୍ତର୍ଜାତିକ ମାର୍କେଟରେ ଭାରତୀୟ ପ୍ରତିରକ୍ଷା ସାମଗ୍ରୀର ଚାହିଦା କ୍ରମଶଃ ବୃଦ୍ଧି ପାଉଥିବାର ପ୍ରମାଣ ମିଳିଛି ବୋଲି ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ପ୍ରତିରକ୍ଷା ସାମଗ୍ରୀ ରପ୍ତାନୀ କାରବାରରେ ଭାରତର ୧୦୦ରୁ ଅଧିକ କମ୍ପାନୀ ନିୟୋଜିତ ହୋଇଥିବା ଜଣାପଡିଛି । ରପ୍ତାନୀ କାରବାରକୁ ପ୍ରୋତ୍ସାହିତ କରିବାକୁ ଭାରତ ସରକାର ବିଗତ ୯ ବର୍ଷ ମଧ୍ୟରେ ଏକାଧିକ ନୀତି ନିୟମକୁ ସଂଶୋଧନ କରିଥିବାବେଳେ କେତେକ କଟକଣାକୁ କୋହଳ ମଧ୍ୟ କରିଛନ୍ତି ।

ପ୍ରତିରକ୍ଷା ସାମଗ୍ରୀର ସୁରୁଖୁରୁ ରପ୍ତାନୀ ପାଇଁ ବନ୍ଦର ଓ ଏୟାରପୋର୍ଟରେ ଆନୁସଙ୍ଗିକ ବ୍ୟବସ୍ଥା ମଧ୍ୟ କରାଯାଇଛି । କମ୍ପାନୀର କାରଖାନାରୁ କିଭଳି ଏହି ସାମଗ୍ରୀ ସହଜରେ ନିକଟସ୍ଥ ବନ୍ଦର କିମ୍ବା ଏୟାରପୋର୍ଟକୁ ପରିବହନ କରାଯାଇପାରିବ, ସେଥିପାଇଁ କେନ୍ଦ୍ର ସରକାର ଆବଶ୍ୟକ ପଦକ୍ଷେପ ମଧ୍ୟ ଗ୍ରହଣ କରିଛନ୍ତି । ୨୦୧୪ରେ କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ବିଜେପି ସରକାର କ୍ଷମତାକୁ ଆସିବାପରଠାରୁ ‘ଆତ୍ମନିର୍ଭର ଭାରତ’ ଯୋଜନାକୁ କାର୍ଯ୍ୟକାରୀ କରାଯାଇଛି ।

ପ୍ରତିରକ୍ଷା ସାମଗ୍ରୀ ଆମଦାନୀ ଉପରେ ଗୁରୁତ୍ୱ ନଦେଇ ଘରୋଇ ଉଦ୍ୟୋଗରେ ଏଗୁଡିକ ଉତ୍ପାଦନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଫଳରେ ପ୍ରତିରକ୍ଷା ମନ୍ତ୍ରଣାଳୟ ବର୍ତ୍ତମାନ ପ୍ରାୟ ୮୫ ପ୍ରତିଶତ ପ୍ରତିରକ୍ଷା ସାମଗ୍ରୀ ଘରୋଇ ପ୍ରକଳ୍ପ ଜରିଆରେ ଉତ୍ପାଦନ କରୁଥିବାବେଳେ ଏହା ରପ୍ତାନୀ କାରବାରକୁ ମଧ୍ୟ ଊର୍ଦ୍ଧ୍ୱଗାମୀ କରିପାରିଛି । ୨୦୧୮-୧୯ରେ ବିଦେଶରୁ ପ୍ରତିରକ୍ଷା ସାମଗ୍ରୀ ଆମଦାନୀ ୪୬ ପ୍ରତିଶତ ଥିବାବେଳେ ୨୦୨୨-୨୩ରେ ଏହା ୩୬.୭ ପ୍ରତିଶତକୁ ହ୍ରାସ ପାଇଛି ।

ଭାରତ ଏକଦା ବିଶ୍ୱର ବୃହତ୍ତମ ପ୍ରତିରକ୍ଷା ସାମଗ୍ରୀ ଆମଦାନୀ ରାଷ୍ଟ୍ରଭାବେ ମାନ୍ୟତାଲାଭ କରିଥିଲା । ବର୍ତ୍ତମାନ କିନ୍ତୁ ସ୍ଥିତି ବଦଳି ଯାଇଛି । ଭାରତ ବର୍ତ୍ତମାନ ବିଦେଶକୁ ବ୍ରହ୍ମସ କ୍ଷେପଣାସ୍ତ୍ର, ତେଜସ୍ ହାଲୁକା ଲଢୁଆ ବିମାନ, ପିନାକ ରକେଟ, ତୋପ, ରେଡାର, ସିମୁଲେଟର, ସାଞ୍ଜୁଆ ଯାନ, ହାଲୁକା ହେଲିକପ୍ଟର ଇତ୍ୟାଦି ରପ୍ତାନୀ କରୁଛି । ଆଗାମୀ ଦିନରେ ପ୍ରତିରକ୍ଷା ସାମଗ୍ରୀ ରପ୍ତାନୀ କାରବାର ଆହୁରି ବୃଦ୍ଧି ପାଇବ ବୋଲି ବାଣିଜ୍ୟ ମନ୍ତ୍ରଣଣାଳୟ ପକ୍ଷରୁ କୁହାଯାଇଛି ।