ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ବପୂର୍ଣ୍ଣ ବୈଠକ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୧୫ଟି ପ୍ରସ୍ତାବ ପାରିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାକୁ ଅନୁମୋଦନ ମିଳିଛି। ସେହିଭଳି ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ସବୁ ଗାଁକୁ ରାସ୍ତା ନିର୍ମାଣକୁ ଅନୁମୋଦନ ମିଳିଛି। ଦୁର୍ଗମ ପାର୍ବତ୍ୟ ଅଞ୍ଚଳ, ନକ୍ସଲ ପ୍ରଭାବିତ ଅଞ୍ଚଳକୁ ସଂଯୋଗୀକରଣ, ଅପହଞ୍ଚ ଓ ଅସଂଯୋଜିତ ଗ୍ରାମାଞ୍ଚଳକୁ ମୁଖ୍ୟ ସଡ଼କ ସହ ଯୋଡ଼ିବା ଏହି ଯୋଜନାର ଲକ୍ଷ୍ୟ। ଏହି ଯୋଜନାରେ ୩୬୧ କିମି ରାସ୍ତା ହେବ। ମୋଟ ୯୭୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ରାଜ୍ୟ କ୍ୟାବିନେଟ୍ ବୈଠକ ପରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।
ଶ୍ରୀ ଜେନା କହିଛନ୍ତି ଯେ, ପୁରୀକୁ ଐତିହ୍ୟ ସହରରେ ପରିଣତ କରିବା ପାଇଁ ‘ଅବଢ଼ା’ ଯୋଜନା ଲାଗୁ ହୋଇଛି। ଏହି ଯୋଜନାର ଅଟକଳ ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟ୍ ମଂଜୁରୀ ମିଳିଛି। ୩୨୦୮ କୋଟିର ବ୍ୟୟବରାଦକୁ ୪୨୨୪.୨୨ କୋଟିକୁ ବୃଦ୍ଧି ନିଷ୍ପତ୍ତି ହୋଇଛି। ସେହିପରି ଗଂଜାମ ଶୀତଳାପଲ୍ଲୀରେ ହସ୍ପିଟାଲ ପାଇଁ ଟାଟାକୁ ୪୩ ଏକର ଜମି ଦିଆଯିବ। ନାମମାତ୍ର ଅର୍ଥରେ ଟାଟା ଷ୍ଟିଲକୁ ମିଳିବ ଜମି। ରାୟଗଡ଼ା ମଝିଘରିଆଣି ମନ୍ଦିର ବିକାଶ ପାଇଁ ୬ ଏକର ଜମି ଦିଆଯିବ।