Odia News Portal

କୃଷି ଓ କୃଷକଙ୍କ ପାଇଁ ବାର୍ଷିକ ଖର୍ଚ୍ଚ ୬.୫ ଲକ୍ଷ କୋଟି

ଦେଶରେ କୃଷି ଓ କୃଷକଙ୍କ ପାଇଁ ସରକାର ବର୍ଷକୁ ୬.୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଶନିବାର ‘ଆନ୍ତର୍ଜାତିକ ସମବାୟ ଦିବସ’ ପାଳନ ଅବସରରେ ଭାଷଣ ଦେଇ ମୋଦୀ ଆହୁରି କହିଛନ୍ତି ଯେ ପିଏମ କିଷାନ ଯୋଜନା, ଏମ୍‌ଏସ୍‌ପି, ସାର ସବ୍‌ସିଡି ଭଳି ପ୍ରସଙ୍ଗ ଉପରେ କେନ୍ଦ୍ର ସରକାର ଅଧିକ ଧ୍ୟାନ ଦେଉଥିବାରୁ ଏହାର ସୁଫଳ କୃଷି ଓ କୃଷକଙ୍କ ଉପରେ ପଡୁଛି ।

୨୦୧୪ରେ ମୋଦୀଙ୍କ ନେତୃତ୍ୱାଧୀନ ବିଜେପି ସରକାର କ୍ଷମତାକୁ ଆସିବାପରେ କୃଷକଙ୍କୁ ଏମ୍‌ଏସ୍‌ପି (ସର୍ବନିମ୍ନ ସହାୟକ ମୂଲ୍ୟ) ବାବଦରେ ୧୫ ଲକ୍ଷ କୋଟି ଟଙ୍କା ପ୍ରଦାନ କରାଯାଇଥିବା ସେ କହିଛନ୍ତି । ଏହାବ୍ୟତୀତ ସାର ସବ୍‌ସିଡି ବାବଦରେ ୧୦ ଲକ୍ଷ କୋଟି ଟଙ୍କା ମଧ୍ୟ ଖର୍ଚ୍ଚ କରାଯାଇଛି । ଏହାକୁ ହିସାବକୁ ନେଲେ କୃଷି ଓ କୃଷକଙ୍କ ପିଛା ବାର୍ଷିକ ୬.୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ସେ କହିଛନ୍ତି । ସାମାନ୍ୟ ଅର୍ଥରେ କହିବାକୁ ଗଲେ, ସରକାରଙ୍କ ଏଭଳି ପଦକ୍ଷେପ ଯୋଗୁଁ ପ୍ରତ୍ୟେକ କୃଷକ ବାର୍ଷିକ ହାରାହାରି ୫୦ ହଜାର ଟଙ୍କାର ଫାଇଦା ପାଉଛନ୍ତି ।

କୃଷିର ଅଭିବୃଦ୍ଧି ସମେତ କୃଷକଙ୍କ କଲ୍ୟାଣ ପାଇଁ ତାଙ୍କ ସରକାର ସଙ୍କଳ୍ପବଦ୍ଧ ବୋଲି ମୋଦୀ କହିଛନ୍ତି । ଦେଶର ପ୍ରତ୍ୟେ କୃଷକ ଯେପରି ହେଉ ବାର୍ଷିକ ଅତିକମରେ ୫୦ ହଜାର ଟଙ୍କାର ସୁବିଧା ହାସଲ କରିବେ, ସେହି ଗ୍ୟାରେଣ୍ଟି କେବଳ ମୋଦୀ ସରକାର ଦେଇପାରୁଛନ୍ତି ବୋଲି ମୋଦୀ କହିଛନ୍ତି । ତାଙ୍କ ସରକାର କେବଳ ନିର୍ବାଚନ ସମୟରେ ପ୍ରତିଶ୍ରୁତି ଦେଇନଥାନ୍ତି, ବରଂ କ୍ଷମତାକୁ ଆସିବାପରେ ସେଗୁଡିକୁ କାର୍ଯ୍ୟରେ ରୂପାନ୍ତର କରି ପ୍ରତିଶ୍ରୁତି ପାଳନ କରିଥାନ୍ତି ବୋଲି ମୋଦୀ ମତବ୍ୟକ୍ତ କରିଛନ୍ତି । ବିଗତ ୪ ବର୍ଷ ମଧ୍ୟରେ ପିଏମ୍ କିଷାନ ଯୋଜନାରେ କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ମୋଟ ୨.୫ ଲକ୍ଷ କୋଟି ଟଙ୍କା ପଠାଯାଇଛି ।

୨୦୧୪ ପୂର୍ବରୁ କେନ୍ଦ୍ର ସରକାରଙ୍କ କୃଷି ବଜେଟ୍ ତୁଳନାରେ ଏହା ଯଥେଷ୍ଟ ଅଧିକ ଥିବା ସେ କହିଛନ୍ତି । କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାରଙ୍କ ଅମଳରେ କୃଷି ବଜେଟ୍ ୯୦ ହଜାର କୋଟିରେ ସୀମିତ ରହିଥିବା ସେ ଉଦାହରଣ ଦେଇଛନ୍ତି । ଦିଲ୍ଲୀରେ ବର୍ତ୍ତମାନ ଦୁଇଦିନିଆ ଇଣ୍ଡିଆନ କୋ-ଅପରେଟିଭ୍ କଂଗ୍ରେସ ସମ୍ମିଳନୀ ଆୟୋଜିତ ହେଉଛି । ସମବାୟ ପ୍ରକ୍ରିୟାରେ କିଭଳି ଉନ୍ନତି ଅଣାଯାଇ କୃଷକଙ୍କ ହିତ ସାଧନ କରାଯାଇପାରିବ, ସେହି ପ୍ରସଙ୍ଗରେ ଆଲୋଚନା କରାଯାଉଥିବା ଜଣାପଡିଛି ।