Odia News Portal

ଆଜିଠୁ ୟୁନିଟ୍‌-୨ ମାର୍କେଟ୍‌ ବିଲ୍ଡିଂ ବନ୍ଦ

ମାର୍କେଟ୍‌ ବିଲ୍ଡିଂରେ ଚାଲିଥିବା ସ୍ଥାୟୀ-ଅସ୍ଥାୟୀ ବ୍ୟବସାୟୀ ବିବାଦକୁ ବିଏମ୍‌ସି ସମାଧାନ କରିପାରି ନାହିଁ। ପ୍ରତିଶ୍ରୁତି ମୁତାବକ ଉଠାଦୋକାନୀଙ୍କୁ ସେଠାରୁ ଉଠାଇ ପାରିନଥିବାରୁ ସୋମବାରଠାରୁ ମାର୍କେଟ୍‌ ବିଲ୍ଡିଂ ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ସେଣ୍ଟ୍ରାଲ ମାର୍କେଟ୍‌ ବ୍ୟବସାୟୀ ସଂଘ ଘୋଷଣା କରିଛି। ପୂର୍ବରୁ ଏ ନେଇ ନିଷ୍ପତ୍ତି ହେବା ସହ ବିଏମ୍‌ସିକୁ ୩ ଦିନ ସମୟ ଦିଆଯାଇଥିଲା।

କିନ୍ତୁ ବିଏମ୍‌ସି ଭ୍ରୂକ୍ଷେପ କରି ନଥିବାରୁ ଏଭଳି ଚରମ ନିଷ୍ପତ୍ତି ନିଆଯାଇଥିବା ସଂଘ କହିଛି। ପ୍ରାୟ ୧୬୫ ବ୍ୟବସାୟୀ ଆସନ୍ତାକାଲି ସକାଳୁ ଦୋକାନ ବନ୍ଦ କରି ମାର୍କେଟ୍‌ ବିଲ୍ଡିଂ ପରିସରରେ ଧାରଣା ଦେବେ ବୋଲି ସୂଚନା ଦେଇଛନ୍ତି ସେଣ୍ଟ୍ରାଲ ମାର୍କେଟ୍‌ ସଂଘ ସଭାପତି ପ୍ରଦ୍ୟୁମ୍ନ କୁମାର ଜେନା। ସ୍କୁଲ ଛାତ୍ରଛାତ୍ରୀଙ୍କ ୟୁନିଫର୍ମଠାରୁ ଆରମ୍ଭ କରି ଡ୍ରେସ୍‌, ଶାଢ଼ି, ଚପଲ ଓ ଅନ୍ୟାନ୍ୟ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ଏହି ମାର୍କେଟ୍‌ରେ ଶସ୍ତା ଦରରେ ମିଳୁଥିବାରୁ ଏଠାରେ ବର୍ଷ ସାରା ଭିଡ଼ ଜମିଥାଏ। ଏହାର ବିପରୀତ ପାର୍ଶ୍ବରେ ୧ ନମ୍ବର ହାଟ ରହିଥିବାରୁ ଉଭୟ ବଜାରରେ କିଣାକିଣି କରିବାକୁ କେବଳ ସହରବାସୀ ନୁହନ୍ତି ବରଂ ଗ୍ରାମାଞ୍ଚଳର ଲୋକ ମଧ୍ୟ ପସନ୍ଦ କରିଥାନ୍ତି। ଏବେ ଏହି ମାର୍କେଟ୍‌ କେତେ ଦିନ ପର୍ଯ୍ୟନ୍ତ ବନ୍ଦ ହେବ, ସେ ନେଇ ନିଶ୍ଚିତ ନଥିବାରୁ ଗ୍ରାହକମାନେ ଚିନ୍ତାରେ ପଡ଼ିଛନ୍ତି।