ବାପା-ମାଆଙ୍କ ଗୋଟିଏ ବୋଲି ପୁଅ । ଅତି ଗେହ୍ଲାରେ ବଢାଇଥିଲେ । ପୁଅର ସବୁ ଅଳି ଅଝଟ ପୂରଣ କରୁଥିଲେ ବାପା-ମାଆ । ପୁଅ ଦଶମ ଶ୍ରେଣୀରେ ପଢୁଥିଲା । ସବୁ କିଛି ଠିକ୍ଠାକ୍ ଚାଲିଥିଲା, ହେଲେ ହଠାତ୍ ସବୁ କିଛି ବଦଳି ଗଲା । ସାମାନ୍ୟ କଥା ପାଇଁ ଜୀବନ ହାରିଦେଲା ପୁଅ । ଘଟଣା ଘଟିଛି ଜଗତସିଂହପୁର ଗାଲୁପଡ଼ା ଗାଁରେ । ଗାଁର ପ୍ରକାଶ ରାଉତ ଓ ରଶ୍ମୀରେଖାଙ୍କ ପୁଅ ପ୍ରଦ୍ୟୁମ୍ନ । ବାପାଙ୍କ ପକେଟରୁ ମାତ୍ର ୬୦ ଟଙ୍କା ଚୋରାଇ ନେଇଥିଲେ ପ୍ରଦ୍ୟୁମ୍ନ । ଏହା ଜାଣିବା ପରେ ପୁଅକୁ ବାପା ଆକଟ କରିଥିଲେ ।
ଏଥିରେ ରାଗିଯାଇ ପ୍ରଦ୍ୟୁମ୍ନ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଆତ୍ମହତ୍ୟା ପୂର୍ବରୁ ଏକ ହାତ ଲେଖା ଛାଡି ଯାଇଛନ୍ତି । ଯେଉଁଥିରେ ପ୍ରଦ୍ୟୁମ୍ନ ଲେଖିଛନ୍ତି, ତାଙ୍କ ମୃତ୍ୟୁ ପାଇଁ ବାପା- ମାଆ କି ଅନ୍ୟ କେହି ଦାୟୀ ନୁହନ୍ତି । ସେ ପକେଟରୁ ଚୋରି କରିଥିବା ବଳକା ପଇସା ଟେବୁଲ ଉପରେ ରଖିଛନ୍ତି । ପ୍ରଦ୍ୟୁମ୍ନଙ୍କ ବାପା-ମାଆ ଉଭୟ ସରକାରୀ ଶିକ୍ଷକ । ପୁଅକୁ ଭଲ ପାଠ ପଢାଇବା ପାଇଁ ବାଲିକୁଦା ମୁଳଗାଁ ପୈତୃକ ଘରେ ଛାଡି ଜଗତସିଂହପୁର ଗାଲୁପଡ଼ାରେ ଭଡାଘରେ ରହୁଥିଲେ । ପୁଅ ଆତ୍ମହତ୍ୟା ଖବର ଜାଣିବା ପରେ ବାପା-ମାଆ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ।