Odia News Portal

ଗଞ୍ଜେଇ ଚାଲାଣ ସମୟରେ ମହିଳା ସମେତ ୨ ଗିରଫ

ସମ୍ବଲପୁର ଦେଇ ଚୋରା ଗଞ୍ଜେଇ ଚାଲାଣ କରାଯାଉଥିବା ବେଳେ ଅବକାରୀ ବିଭାଗର ଚେକିଂ ସମୟରେ ଜଣେ ମହିଳାଙ୍କ ସମେତ ୨ ଜଣ ଚାଲାଣକାରୀ ଙ୍କୁ ଗିରଫ କରାଯାଇଛି। ସମ୍ବଲପୁର ଦେଇ ଦେଶ ବିଭିନ୍ନ ରାଜ୍ୟକୁ ନିୟମିତ ଗଞ୍ଜେଇ ଚାଲାଣ କରାଯାଉଥିବାରୁ ଅବକାରୀ ବିଭାଗ ପକ୍ଷରୁ ନିୟମିତ ଚେକିଂ କରାଯାଉଛି। ଅବକାରୀ ବିଭାଗର ସୂଚନାନୁଯାୟୀ, ଶନିାବର ସକାଳ ସମୟରେ ଅଇଁଠାପାଲି ଛକ ସ୍ଥିତ ବାଟ ମଙ୍ଗଳ ମନ୍ଦିର ନିକଟରେ ଚେକିଂ ସମୟରେ ବଲାଙ୍ଗୀର ପଟରୁ ଆସୁଥିବା ଏକ ସନ୍ଦିଗ୍ଧ ବୋଲେରୋ ଗାଡିକୁ ଅଟକାଇ ଚେକିଂ କରାଯାଇଥିଲା।

ଉକ୍ତ ଗାଡିରେ ୨ଟି ଜରି ବସ୍ତା ମଧ୍ୟରେ ସମୁଦାୟ ୬୬ କିଗ୍ରା ଗଞ୍ଜେଇ ଅବୈଧ୍ୟ ରୂପେ ଚାଲାଣ କରାଯାଉଥିବାର ଅବକାରୀ ଦଳ ପାଇଥିଲେ। ପୁଲିସ ଜେରା ସମୟରେ ଚାଲାଣକାରୀ ମାନେ ଏହି ଗଞ୍ଜେଇ ଗୁଡିକୁ ବଲାଙ୍ଗୀର ଜିଲାରୁ ମଧ୍ୟପ୍ରଦେଶ ରାଜ୍ୟକୁ ଚାଲାଣ କରୁଥିବାର ସ୍ୱିକାର କରିଥିଲେ। ଏଣୁ ଗାଡି ମାଧ୍ୟମରେ ବେଆଇନ ଭାବରେ ଗଞ୍ଜେଇ ଚାଲାଣ ପାଇଁ ମଧ୍ୟପ୍ରଦେଶ ରାଜ୍ୟ ଦାମୋହ ଜିଲା ନିବାସୀ ଧର୍ମେନ୍ଦ୍ର ସିଂହ ଲୋଧୀ (୩୧) ଓ ଜବଲପୁର ଜିଲା ନିବାସୀ ରୀନା ଠାକୁର (୩୬) ଙ୍କୁ ଏକ ମାମଲା ରୁଜୁ କରି ଗିରଫ କରିଛି। ଅଭିଯୁକ୍ତ ମାନଙ୍କ ନିକଟରୁ ଅବକାରୀ ପୁଲିସ ୬୬ କିଗ୍ରା ଗଞ୍ଜେଇ ସମେତ ବୋଲେରୋ ଗାଡି, ଗୋଟିଏ ମୋବାଇଲ ଓ ୩୨ ଶହ ଟଙ୍କା ଜବତ କରିଛି। ଜବତ ହୋଇଥିବା ଗଞ୍ଜେଇ, ଗାଡି ଓ ମୋବଇଲର ଆନୁମାନିକ ମୂଲ୍ୟ ୧୧ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ। ଅଭିଯୁକ୍ତ ମାନଙ୍କୁ ଶନିବାର ଅଦାଲତକୁ ଅବକାରୀ ପୁଲିସ ଚାଲାଣ କରିଛି ବୋଲି ସୂଚନା ଦେଇଛି।